ରକ୍ତଦାନ କରି ସୋଆ ଛାତ୍ରଛାତ୍ରୀ ସ୍ମରଣୀୟ କଲେ ଏ ବର୍ଷର ଏନ୍ଏସ୍ଏସ୍ ଦିବସ
ଭୁବନେଶ୍ୱର, ( ଓଡ଼ିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନଏସଏସ ବ୍ୟୁରୋ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଓ ସୋଆ ୱେଲ୍ନେସ୍ ସେଂଟରର ମିଳିତ ଆନୁକୁଲ୍ୟରେ ୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏକ ସପ୍ତାହବ୍ୟାପୀ ବିଶାଳ ରକ୍ତଦାନ ସପ୍ତାହ ଆଜି ଏନ୍ଏସ୍ଏସ୍ ଦିବସ ପାଳନ ଅବସରରେ ଉଦ୍ଯାପିତ ହୋଇଯାଇଛି ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ପୌରହିତ୍ୟ କରି ତାଙ୍କର ଅଭିଭାଷଣରେ ରକ୍ତଦାନକୁ ଏକ ସାମାଜିକ କର୍ତବ୍ୟ ବୋଲି ସମସ୍ତେ ଭାବିବା ଉଚିତ୍ ବୋଲି କହିଥିଲେ । ସେବା ମନୋଭାବର ଉଦ୍ରେକ ନ ହେବା ଯାଏଁ ସବୁକିଛି କାର୍ଯ୍ୟ କେବଳ ଲୋକ ଦେଖାଣିଆ ହୋଇ ରହିଯିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ, ରକ୍ତଦାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ରକ୍ତକୁ ରକ୍ତ ଭଣ୍ଡାରରେ ଯତ୍ନର ସହିତ ରଖିବା ସେତିକି ଜରୁରୀ । କଷ୍ଟଲବ୍ଧ ସଂଚିତ ରକ୍ତ ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ ବୋଲି ସେ କହିଥିଲେ । ସେହିପରି ରକ୍ତ ଭଣ୍ଡାର ମୁଖ୍ୟ ପ୍ରଫେସର ଗରିଜା ନନ୍ଦିନୀ କାନୁନ୍ଗୋ କୋଭିଡ୍ ଓ ଡେଙ୍ଗୁ ସମୟରେ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀ ରକ୍ତଦାନ କରିବାର ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରକ୍ତ ଦେବା ଦ୍ୱାରା କି ପ୍ରକାର ଲାଭ ହୋଇଥାଏ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ସୋଆ ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ଦିନରେ ଏକ ବଡ଼ ଧରଣର ରକ୍ତଦାନ ଶିବିରର ଆୟୋଜନ କରିବାର ପ୍ରତିଶ୍ରୁତି ଦେଇଥିଲେ ।
ବିଶ୍ୱବିଦ୍ୟାଳୟ ଆଉଟ୍ରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ତଥା ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବିଶ୍ୱବିଦ୍ୟାଳୟ ସ୍ତରରେ ବିଗତ ୬ ମାସରେ କରାଯାଇଥିବା ଆଉଟ୍ରିଚ୍ ତଥା ଏନ୍ଏସ୍ଏସ୍ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରକ୍ତଦାତା , ରକ୍ତଦାନ କରିଥିବା ଏବଂ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ସୌର୍ଯ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିରିକ୍ତ ପ୍ରୋଗ୍ରାମ୍ ସଂଯୋଜକ ଡ. କମଳ କୁମାର ମହାନ୍ତ, ଡ. ଶୋଭନ୍ ପଟ୍ଟନାୟକ ଓ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।