ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ଗାଁକୁ ପ୍ରବେଶ ଅନୁମତି, ରାଜନୈତିକ ଦଳ ପାଇଁ କଟକଣା ବଳବତ୍ତର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ହଟ୍ଟଗୋଳ ଜାରି ରହିଛି। ଏହାରି ଭିତରେ ପ୍ରଶାସନ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ୧୪୪ ଧାରା ଲାଗୁ କଲା। ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ ଯିବା ଆସିବାରେ କଟକଣା ଲାଗୁ କରାଗଲା। ତମାମ ଦାବି ପରେ ଏବେ ପ୍ରଶାସନ ପୀଡ଼ିତା ପରିବାର ସହ କଥା ହେବା ପାଇଁ ଗଣମାଧ୍ୟମକୁ ଅନୁମତି ଦେଇଛି। ତେବେ ଗାଁ ଭିତରକୁ ରାଜନୈତିକ ଦଳ ମାନଙ୍କ ପାଇଁ କଟକଣା ପୂର୍ବପରି ବଳବତ୍ତର ରହିଛି।

ଏସଡିଏମ ପ୍ରେମ ପ୍ରକାଶ କହିଛନ୍ତି ଗାଁରେ ଏସଆଇଟି ତଦନ୍ତ ପୂରା ହୋଇଛି। ଏ ପାଇଁ ଗଣମାଧ୍ୟମ ଉପରୁ କଟକଣା ଉଠିଛି। ଅବଶ୍ୟ ଗାଁରେ ୧୪୪ ଧାରା ଜାରି ଥିବାରୁ ୫ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ରିତ ହେବାର ଅନୁମତି ନାହିଁ। ଏବେ ସ୍ପଷ୍ଟ କରାଯାଇଛି ଗାଁକୁ କେବଳ ଏବେ ମିଡିଆକୁ ଅନୁମତି ମିଳିବ। ଯେବେ ରାଜନୈତିକ ଦଳକୁ ପ୍ରବେଶ ଅନୁମତି ଆଦେଶ ମିଳିବ ସେବେ ଦିଆଯିବ।

କିଛି ନ୍ୟୁଜ ଚାନେଲ ସହ କଥା ହେବା ବେଳେ ପୀଡ଼ିତ ପରିବାରର ସଦସ୍ୟ କହିଛନ୍ତି ଯେତେବେଳେ ସେମାନେ ମିଡିଆ ସହ କଥା ହୁଅନ୍ତି ଡିଏମ ଜାଣିପାରନ୍ତି। ଏହା ସହ ସେମାନଙ୍କର ଅଭିଯୋଗ ଥିଲା ପରିବାର ସଦସ୍ୟଙ୍କ ଫୋନ ଛଡେଇ ନିଆଯାଇଛି ଓ ଜବରଦସ୍ତି ଘରେ ସେମାନଙ୍କୁ ବନ୍ଦ କରି ରଖାଯାଇଛି। ତେବେ ଏ ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି ଏସଡିଏମ।

Leave a Reply

Your email address will not be published.