ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ

କଟକ, (ଓଡିଶା ଟାଇମ୍): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଶ୍ରେଣୀଗୃହ (ଅଫ୍‍ଲାଇନ୍‍) ଦଶମ (ମାଟ୍ରିକ) ପରୀକ୍ଷା ଆସନ୍ତାକାଲିଠାରୁ ୫୦୪ଟି କେନ୍ଦ୍ରରେ ଆରମ୍ଭ ହେଉଛି। ଛାତ୍ରଛାତ୍ରୀ ପରୀକ୍ଷା ଆରମ୍ଭର ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ। ଫର୍ମପୂରଣ କରିଥିବା ମୋଟ ୧୫,୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମାଟ୍ରିକର ୬,୫୯୭ ଜଣ ଛାତ୍ରଛାତ୍ରୀ ୨୭୮ଟି କେନ୍ଦ୍ରରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮,୪୯୩ ଜଣ ଛାତ୍ରଛାତ୍ରୀ ୨୨୨ କେନ୍ଦ୍ରରେ ଓ ମଧ୍ୟମାର ୬୧ ଜଣ ଛାତ୍ରଛାତ୍ରୀ ୪ଟି କେନ୍ଦ୍ରରେ ପରୀକ୍ଷା ଦେବା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଛି। କୋଭିଡ୍‍ ନିୟମାନୁସାରେ ତାପମାତ୍ରା ଯାଞ୍ଚ, ବିଶୋଧନ ଶେଷ ପରେ ସେମାନେ ପରୀକ୍ଷା କେନ୍ଦ୍ର ଭିତରକୁ ଯିବେ। ନିୟମିତ(ରେଗୁଲାର) ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଗୋଟିଏ  ପର୍ଯ୍ୟାୟ(ସିଟିଂ)ରେ ପରୀକ୍ଷା ହେବ। ସକାଳ ୯.୪୫ରେ ଉଭୟ ଦୀର୍ଘ ଉତ୍ତରମୂଳକ ଓ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପୂର୍ବାହ୍ଣ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୀର୍ଘଉତ୍ତରମୂଳକ ପରୀକ୍ଷା ଓ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ। ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେଉଛି।

ପରୀକ୍ଷା ପରିଚାଳନା ପାଇଁ ଚାରିସ୍ତରୀୟ ସ୍କ୍ୱାଡ୍‍(ଯାଞ୍ଚକାରୀ ଦଳ) ବ୍ୟବସ୍ଥା କରାଯାଇଛି। ପରିଷଦ ପକ୍ଷରୁ ୩୦ଟି ଓ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୩୦ଟି କୋଭିଡ୍‍ ସ୍କ୍ୱାଡ୍‍ ଦଳ କୋଭିଡ୍‍ ନିୟମ ପାଳନ ଓ ପରୀକ୍ଷାରେ ସ୍ୱଚ୍ଛତାକୁ ଯାଞ୍ଚ କରିବେ। ଏହାବାଦ୍‍ ଜିଲା ପ୍ରଶାସନ ପକ୍ଷରୁ ୩୦ଟି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ନୋଡାଲ ଅଧିକାରୀଙ୍କ ଟିମ୍‍ ମଧ୍ୟ ପରୀକ୍ଷା ପରିଚାଳନାର ତଦାରଖ କରିବେ। ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତି ପରୀକ୍ଷା କେନ୍ଦ୍ରରେ ସଙ୍ଗରୋଧ କକ୍ଷ ରଖାଯାଇଛି। କୋଭିଡ୍‍ ସନ୍ଦିଗ୍ଧ ପରୀକ୍ଷାର୍ଥୀ ସେଠାରେ ବସି ପରୀକ୍ଷା ଦେବେ। ପ୍ରଥମ ଥର ପାଇଁ ଏକ ୨୫ ଜଣିଆ ତଥ୍ୟ ସଂଗ୍ରହକାରୀ ଦଳ ଗଠନ କରାଯାଇଛି। ଉକ୍ତ ଦଳର ପ୍ରତି ସଦସ୍ୟଙ୍କୁ ୨୦ଟି ପରୀକ୍ଷା କେନ୍ଦ୍ରର ଦାୟିତ୍ୱ ଦିଆଯାଇଛି। ସେମାନେ ପ୍ରତିଦିନ ପରୀକ୍ଷା ଶେଷ ପରେ ଅନୁପସ୍ଥିତ ଓ ମାଲପ୍ରାକ୍ଟିସ୍‍ ହୋଇଥିବା ପରୀକ୍ଷାର୍ଥୀ ରୋଲ ନମ୍ବର, ବିଷୟ ଓ ଲିଖିତ ଭାଷା ପରିବର୍ତ୍ତନ ସମେତ ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ପରିଷଦକୁ ତୁରନ୍ତ ପ୍ରଦାନ କରିବେ। ସ୍ୱଳ୍ପ ସମୟ ମଧ୍ୟରେ ପରୀକ୍ଷା କରାଯାଇ ଫଳ ପ୍ରକାଶନ ନିମନ୍ତେ ଏପରି କେତେଗୁଡ଼ିଏ ବ୍ୟବସ୍ଥା ଉପରେ ଏଥର ଗୁରୁତ୍ୱାରୋପ କରାଯାଇଛି।

Leave a Reply

Your email address will not be published. Required fields are marked *