ଜୁଲାଇ ୫ରୁ ମାଟ୍ରିକ ଅଫ୍ଲାଇନ ପରୀକ୍ଷା ଫର୍ମ ଫିଲ୍ଅପ୍
କଟକ, (ଓଡିଶା ଟାଇମ୍): ମାଟ୍ରିକ୍ ପରୀକ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେବା ପରେ ମୁହଁ ଖୋଲିଛି ବୋର୍ଡ। ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ସ୍ଥିତି ସୁଧୁରିଲେ ପରୀକ୍ଷା କରାଯିବ ଏବଂ ଏ ନେଇ ସୂଚନା ଦିଆଯିବ। ତେବେ ରାଜ୍ୟ ବ୍ୟାପି ପିଲାଙ୍କ ଅସନ୍ତୋଷ ଦେଖିବା ପରେ ବିକଳ୍ପ ଅଫ୍ ଲାଇନ ପରୀକ୍ଷା ପାଇଁ ଘୋଷଣା କରିଛି ବୋର୍ଡ।
ବୋର୍ଡ ପକ୍ଷରୁ କୁହାଯାଇଛି, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ଜୁଲାଇ ୫ରୁ ଅଫ୍ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +2 ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।
ତେବେ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଓ ଅଭିଭବକଙ୍କ ଅସନ୍ତୋଷଙ୍କୁ ଦେଖିବା ପରେ ସଫେଇ ଦେଇଛି ବୋର୍ଡ। ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି। ବିକଳ୍ପ ପଦ୍ଧତି ଅନୁଯାୟୀ ମାର୍କ ଦିଆଯାଇଛି ବୋଲି କହିଛି ବୋର୍ଡ। ତେବ ଯଦି ଅସନ୍ତୁଷ୍ଟ ଅଛ, ପରୀକ୍ଷା ଦିଅ, ମାର୍କ ନିଅ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।