ଆସନ୍ତାକାଲିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ, ୬୦ଟି କେନ୍ଦ୍ରରେ ହେବ ଖାତାଦେଖା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତକାଲିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୬୦ ଟି ସେଣ୍ଟରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପାଇଁ ପ୍ରସ୍ତୁତ ହୋଇଥିବା ୬୦ ଟି ସେଣ୍ଟରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଖାତା ଦେଖାର ୪୫ ଦିନ ମଧ୍ୟରେ ମାଟ୍ରିକ ଫଳାଫଳ ବାହାରିବ ବୋଲି ଗଣଣିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପରୀକ୍ଷା ମୂଲ୍ୟାୟନ ବନ୍ଦୋବସ୍ତ କରିବା ଲାଗି ବୋର୍ଡକୁ ଗଣଶିକ୍ଷା ବିଭାଗ ଅବଗତ କରାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଇଥିବା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍ଓପି)କୁ ଆଧାର କରି ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ ।
ଅନ୍ୟପକ୍ଷରେ ଖାତା ମୂଲ୍ୟାୟନ କାର୍ୟ୍ୟର ଅନୁଧ୍ୟାନ ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ଓଆର୍ଏସ୍ ଅଫିସରଙ୍କୁ ନିୟୋଜିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେହିପରି ମେ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ଘୁଞ୍ଚାଇ ଦିଆ ଯାଇଥିଲା। ତେବେ କିଛି ଅଂଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ସ୍ଥଗିତ ରଖାଯାଇଥିଲା । ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି । ୪୫ ଦିନ ଭିତରେ ଫଳାଫଳ ବାହାରିବ । ପ୍ରଥମ ପର୍ୟ୍ୟାୟରେ ଇଂରାଜୀ, ଗଣିତ, ଭୂଗୋଳ ଓ ଇତିହାସ ପ୍ରଥମ ଦଫା ମୂଲ୍ୟାୟନ କାର୍ୟ୍ୟ ୨୫ରୁ ୩୦ ଦିନ ଯାଏ ଚାଲିବ । ଦ୍ୱିତୀୟ ପର୍ୟ୍ୟାୟରେ ଓଡ଼ିଆ, ଫିଜିକାଲ୍ ସାଇନ୍ସ, ହିନ୍ଦି, ସଂସ୍କୃତ ଓ ଲାଇଫ୍ ସାଇନ୍ସ ୨୫ରୁ ୩୦ ଦିନ ମଧ୍ୟରେ ଶେଷ ହେବ ବୋଲି ଦିନ ଧାର୍ୟ୍ୟ କରାଯାଇଛି । ମୂଲ୍ୟାୟନ କାର୍ୟ୍ୟରେ ନିୟୋଜିତ ପରୀକ୍ଷକଙ୍କ ମଧ୍ୟରୁ କେହି ଅସୁସ୍ଥ ଅନୁଭବ କଲେ ସେମାନଙ୍କୁ ଡାକ୍ତରଖାନାକୁ ନେବାର ବନ୍ଦୋବସ୍ତ କରିବା ସହ ଖାତା ଦେଖାରୁ ଅନ୍ତର କରାଯିବ ବୋଲି ନିର୍ଦ୍ଦେଶ ରହିଛି ।