ମାର୍କେଟ ବିଲ୍ଡିଂ ସିଲ୍
ଭୁବନେଶ୍ବର , (ଓଡିଶା ଟାଇମ୍) : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି ।
ରାଜ୍ୟ ସରକାର ଆଜି ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରଜ ପାଇଁ କିଣାକିଣି ପାଇଁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏହାକୁ ବେଖାତିର କରି ରାଜଧାନୀର ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି ।
ଆଜି ରଜ ବଜାରକୁ ନଜରରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ଗହଳି ଚହଳି ଲାଗି ରହିଛି । ଅନେକ ସ୍ଥାନରେ ଲୋକମାନେ କିଣାକିଣି ବେଳେ ସାମାଜିକ ଦୂରତାକୁ ପାଳନ କରୁନାହାଁନ୍ତି । ଏପରିକି ବ୍ୟବସାୟୀମାନେ ମଧ୍ୟ ଏଥିପ୍ରତି ଯତ୍ନବାନ ନାହାଁନ୍ତି ।