ଆତଙ୍କୀ ହମଲାରୁ ବର୍ତ୍ତିଲେନି ସେନା ଅଧିକାରୀଙ୍କ ପରିବାର, ଚାଲିଗଲା ୭ ନୀରିହ ଜୀବନ

ମଣିପୁର, (ଓଡିଶା ଟାଇମ୍): ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ସେନା ଅଧିକାରୀଙ୍କ ପରିବାର ସମେତ ୭ ସହିଦ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏଭଳି ହମଲା ହୋଇଛି । ହମଲା ହୋଇଥିବା ଅଂଚଳରଟି ମିଆଁମାର ସୀମାନ୍ତକୁ ଲାଗିଥିବାରୁ ସେଠାରେ ସକ୍ରିୟ ଥିବା ଆତଙ୍କବାଦୀ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା କୁହାଯାଉଛି ।

୪୬ ଆସାମ ରାଇଫଲର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ପରିବାର ଲୋକଙ୍କ ସହ ଏକ ଗାଡ଼ିରେ ଯାଉଥିବା ବେଳେ ଆମ୍ବୁସ୍ ଲଗାଇ ଜଗିବସିଥିବା ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ । ଏହାଯୋଗୁ ୪୬ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି । ସେହିଭଳି ୪୦ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ୩୭ ବର୍ଷୀୟା ଅନୁଜା ଶୁକ୍ଲା ଓ ୮ ବର୍ଷର ପୁଅ ଅବିର ତ୍ରିପାଠୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ ମିଜୋରାମ ସୀମାବର୍ତ୍ତୀ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ବେହିଆଙ୍ଗ ଅନ୍ତର୍ଗତ ସେକନ ଗ୍ରାମ ନିକଟରେ ସକାଳ ପ୍ରାୟ ୧୧ଟା ସମୟରେ ଏହି ଆକ୍ରମଣ ଘଟିଛି । ୪୬ ଆସାମ ରାଇଫଲ୍ସ ବାହିନୀର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ତାଙ୍କ ପରିବାର ଲୋକଙ୍କ ସହ ଏକ ଗାଡ଼ିରେ ଯାଉଥିବାବେଳେ ହଠାତ୍‌ ଉଗ୍ରବାଦୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ।

ଉଗ୍ରବାଦୀମାନେ ପ୍ରଥମେ କର୍ଣ୍ଣେଲ ବିପ୍ଳବ ତ୍ରିପାଠୀଙ୍କ ଗାଡ଼ିକୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ । ପରେ ଏହାର ଚାରିପଟୁ ଘେରିଯାଇ ଆଖିବୁଜା ଗୁଳିବର୍ଷା କରିଥିଲେ । ସେତେବେଳେ କର୍ଣ୍ଣେଲ ତ୍ରିପାଠୀ ମ୍ୟାଁମାର ନିକଟବର୍ତ୍ତୀ ଚୁରାଚାନ୍ଦପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ ସାରି କୁଇକ୍‌ ରିଆକ୍ସନ ଟିମ୍‌ ସହିତ ନିଜର ଫରୱାର୍ଡ କଂପାନି ବେସ୍‌ରୁ ବାଟାଲିଅନ୍‌ ମୁଖ୍ୟାଳୟକୁ ଫେରୁଥିଲେ । ସହିଦ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ବାସିନ୍ଦା ଥିଲେ । ୧୯୮୦ ମସିହାରେ ତାଙ୍କର ଜନ୍ମ । ସେ ରିୱା ସ୍ଥିତ ସୈନିକ ସ୍କୁଲରେ ପଢ଼ିଥିଲେ । ପୂର୍ବରୁ ସେ ମିଜୋରାମରେ ଅବସ୍ଥାପିତ ଥିଲେ । ଚଳିତବର୍ଷ ଜୁଲାଇ ମାସରେ ତାଙ୍କର ମଣିପୁରକୁ ବଦଳି ହୋଇଥିଲା । ତାଙ୍କର ସାନଭାଇ ଅନୟ ତ୍ରିପାଠୀ ମଧ୍ୟ ଆସାମ ରାଇଫଲ୍ସରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି । ଶନିବାର ସକାଳେ ସେ ପତ୍ନୀଙ୍କ ସହ ଜଳଖିଆ ଖାଉଥିବା ବେଳେ ବଡ଼ ଭାଇ ସହିଦ ହୋଇଥିବା ଖବର ପାଇଥିଲେ ।

Leave a Reply

Your email address will not be published. Required fields are marked *