କେବଳ ୧୮ ହଜାର ଟଙ୍କାରେ ୭୦ ଲକ୍ଷର ବିମାନ ଯାତ୍ରା, ୩୬୦ ସିଟର ଫ୍ଲାଇଟ୍ରେ ଏକା ଗଲେ ଦୁବାଇ
ମୁମ୍ବାଇ, (ଓଡିଶା ଟାଇମ୍): ବିମାନରେ ଯାତ୍ରା କରିବାକୁ କେହି କେହି ସ୍ବପ୍ନ ଦେଖୁଥିବା ବେଳେ କିଛି ଲୋକ ପ୍ରତିଦିନ ବିମାନ ଯାତ୍ରା କରୁଛନ୍ତି । ବିମାନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀ ଟିକେଟ୍ କରନ୍ତି । ଉଡ଼ାଣ ଭରିବା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚି ଯାତ୍ରୀ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରନ୍ତି। ପ୍ରତି ଯାତ୍ରୀ ଗୋଟିଏ ସିଟ୍ ପାଇଁ ବୁକିଂ କରନ୍ତି। କିନ୍ତୁ ଥରେ ଚିନ୍ତା କଲେ ଆପଣ ଗୋଟିଏ ସିଟ୍ ବୁକ୍ କରିଥିବେ କିନ୍ତୁ ଅଜାଣତରେ ପୁରା ବିମାନ ଆପଣଙ୍କ ପାଇଁ ବୁକ୍ ହୋଇଥିବ, କେମିତି ଲାଗିବ ?
ଜଣେ ବ୍ୟକ୍ତି କେବଳ ୧୮ ହଜାର ଟଙ୍କାରେ ୩୬୦ ସିଟ୍ ବିଶିଷ୍ଟ ବୋଇଂ ୭୭୭ ବିମାନରେ ଉଡ଼ାଣ ଭରିଛନ୍ତି। କେବଳ ୧୮ ହଜାର ଟଙ୍କାରେ ୭୦ ଲକ୍ଷ ଟଙ୍କାର ଯାତ୍ରା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ମୁମ୍ବାଇର ଜଣେ ବ୍ୟକ୍ତି ଏତେ କମ୍ ଟଙ୍କାରେ ଏକାକୀ ଦୁବାଇ ଯାତ୍ର କରିଛନ୍ତି। ଏକାକୀ ଉଡ଼ାଣ ଭରିଥିବା ୪୦ ବର୍ଷୀୟ ଭାବେଶ ଜାଭେରି କେବଳ ୧୮୦୦୦ ଟଙ୍କା ଦେଇଛନ୍ତି। ଷ୍ଟାରଜେମ୍ସର ଗ୍ରୁପ୍ ସିଇଓ ଭାବେଶ ଏକଲା ଗୋଟିଏ ବିମାନରେ ଦୁବାଇ ପହଞ୍ଚିଥିବା ନେଇ ନିଜର ଅନୁଭୂତି ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି।
ସେ କହିଛନ୍ତି, ‘ଯେମିତି ମୁଁ ବିମାନରେ ପହଞ୍ଚିଲି, ଏୟାରହୋଷ୍ଟେସ୍ ମୋର ସ୍ବାଗତ କରିଥିଲେ। ଏପରିକି କମାଣ୍ଡର ମୋତେ ଅଭିନନ୍ଦନ ଜଣାଇବା ସହ ମୋ ସହ କଥା ହୋଇଥିଲେ।’ ଭାବେଶ ଗତ ଦୁଇ ଦଶନ୍ଧି ହେଲା ଦୁବାଇ ପାଇଁ ୨୪୦ରୁ ଅଧିକ ଥର ଉଡ଼ାଣ ଭରିଛନ୍ତି। ନିଜର କାମ ପାଇଁ ଦୁବାଇ ଯାଉଥିବା ବେଳେ ତାଙ୍କ ସହ ଏମିତି କେବେ ହୋଇନଥିଲା। ଦୁବାଇ ପାଇଁ ଅଢ଼େଇ ଘଣ୍ଟା ଏକାକୀ କେବେ ଉଡ଼ାଣ ଭରିନଥିଲେ ବୋଲି କହିଛନ୍ତି ଭାବେଶ।
ମୁମ୍ବାଇ ଏବଂ ଦୁବାଇ ମଧ୍ୟରେ ଉଡ଼ାଣ କରୁଥିବା ଏମିରେଟସ୍ର ଏହି ବିମାନ ପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିାଏ। କେବଳ ଗୋଟିଏ ପକ୍ଷ ଉଡ଼ାଣ ବେଳେ ୮ ଲକ୍ଷ ଟଙ୍କାର ଇନ୍ଧନ ଖର୍ଚ୍ଚ ହୋଇଥାଏ। ଯାତ୍ରୀ ଭାବେଶ ଜାଭେରି ଗୋଲ୍ଡେନ ଭିଜା ହୋଲ୍ଡର ହୋଇଥିବାରୁ ତାଙ୍କୁ ଏପରି ସୁବିଧା ମିଳିଥିବା କୁହାଯାଉଛି।