ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଉପହାର, ରାଜ୍ୟରେ ଲଞ୍ଚ ହେଲା ‘ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ’
କୋଲକାତା, (ଓଡିଶା ଟାଇମ୍): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବୁଧବାର ଷ୍ଟୁଡେଣ୍ଟସ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ଏଥିରେ ଛାତ୍ରଛାତ୍ରୀ ସାଧାରଣ ବାର୍ଷିକ ସୁଧହାରରେ ସର୍ବାଧିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ପାଠପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ କ୍ରେଡିଟ କାର୍ଡ ଛାତ୍ରଛାତ୍ରୀଙ୍କ ଲାଗି ସହାୟକ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ବ୍ୟବସ୍ଥା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି ମଧ୍ୟ ମମତା ବାନାର୍ଜୀ କହିଛନ୍ତି।
ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ସର୍ବାଧିକ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ସଫ୍ଟ ଲୋନ ପ୍ରଦାନ ଲାଗି ଏଥିରେ ରାଜ୍ୟ ସରକାର ପ୍ରୟାଶ କରିଥିବା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଯୋଜନାରେ ଛାତ୍ରଛାତ୍ରୀ ଶିକ୍ଷା ଲାଗି କ୍ରେଡିଟ୍ କାର୍ଡରେ ନେଇଥିବା ଋଣ ସୁଝିବା ଲାଗି ୧୫ ବର୍ଷ ଅବଧି ରହିଛି। ମାମୁଲି ସୁଧହାରରେ ଛାତ୍ରଛାତ୍ରୀ ଏହି ଋଣ ନେଇପାରିବେ।
ମାନ୍ୟତା ପ୍ରାପ୍ତ ଶିକ୍ଷଣ ସଂସ୍ଥାରୁ ମାଧ୍ୟମିକସ୍ତରରୁ ଆରମ୍ଭ କରି ଦେଶ ଭିତରେ ବ୍ୟବସାୟୀକ ପାଠ୍ୟକ୍ରମ ସମେତ ଡକ୍ଟରେଟ, ପୋଷ୍ଟ ଡକ୍ଟରେଟ ଏପରିକି ଗବେଷଣା କାର୍ଯ୍ୟ ଲାଗି ଛାତ୍ରଛାତ୍ରୀ ତାଙ୍କର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡର ଉପଯୋଗ କରିପାରିବେ। ଏହା ଛଡା ରାଜ୍ୟର ଯେଉଁ ଛାତ୍ରଛାତ୍ରୀ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ରାଜ୍ୟ ସରକାରଙ୍କ ଲୋକସେବା ଆୟୋଗ (ପିଏସସି) ପ୍ରସ୍ତୁତି କରୁଛନ୍ତି ସେମାନେ ମଧ୍ୟ ପାଠପଢା ଓ କୋଚିଂ ବାବଦ ବ୍ୟୟ ଲାଗି କ୍ରେଡିଟ କାର୍ଡର ଉପଯୋଗ କରିପାରିବେ ବୋଲି ଶିକ୍ଷାବିଭାଗ ଅଧିକାରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି କ୍ରେଡିଟକାର୍ଡ ଯୋଜନାକୁ ବୁଧବାର ରାଜ୍ୟ ସଚିବାଳୟରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ପୂର୍ବରୁ କନ୍ୟାଶ୍ରୀ ଓ ସବୁଜଶ୍ରୀ ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ କରିଥିବା ମମତା ବନାର୍ଜୀ କହିଛନ୍ତି। ତେବେ ଏହା ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷାରେ ସହାୟକ ହୋଇପାରୁନଥିବାରୁ ଷ୍ଟୁଡେଣ୍ଟ କ୍ରେଡିଟକାର୍ଡ ଯୋଜନା ଆରମ୍ଭ କରାଯାଇଛି। ଯେଉଁଥିରେ ଛାତ୍ରଛାତ୍ରୀ ଏବେ ନିଜ ମନଲାଖି ଶିକ୍ଷା ନିମନ୍ତେ ଏବେ ସମ୍ପୂର୍ଣ୍ଣ ସ୍ୱାଚ୍ଛନ୍ଦ ବୋଲି ମମତା ବାନାର୍ଜୀ କହିଛନ୍ତି। ଏହା ମଧ୍ୟ ଦଳର ନିର୍ବାଚନୀ ପ୍ରତିଶ୍ରୁତିରେ ଥିଲା। ଯାହା ସରକାର ପୁଣି କ୍ଷମତାକୁ ଆସିବାମାତ୍ରେ ପୂରଣ କରିବା ଲାଗି ପଦକ୍ଷେପ ନେଇଛନ୍ତି ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।