ପୋଲିସ୍ କ୍ୟାଣ୍ଟିନ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାଘଟଣା:ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍) : ମାଲାକାନାଗିରି ପୋଲିସ୍ କ୍ୟାଣ୍ଟିନ୍‌ରେ କାମ କରୁଥିବା ସଂପୃକ୍ତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ମାନାବାଧିକାରଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ଆଜି ଅବସରପ୍ରାପ୍ତ ଡିଜି ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗର ଜାତୀୟ ଉପସଭାପତି ବରିଷ୍ଠ କଂଗ୍ରେସ ନେତା ଶ୍ୟାମସୁନ୍ଦର ହାଂସଦାଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ୍ ବି.ପି ଦାସଙ୍କୁ ସାକ୍ଷାତ କରି ଏହି ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ସମେତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଏବଂ ପରିବାରଙ୍କୁ କ୍ଷତିପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଶୁଭଶ୍ରୀ ପଣ୍ଡା, ଅମିତା ବିଶ୍ୱାଳ, କୈଳାସ ମୁଖି, ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ଗତ ୭ମଇ ୨୦୨୦ ରିଖ ଦିନ ପୁଲିସ୍ କ୍ୟାଣ୍ଟିନ୍‌ରେ କାମକରୁଥିବା ସଂପୃକ୍ତ ମହିଳା ମୁମୂର୍ଷ ଅବସ୍ଥାରେ ପଡିଥିବା ଅବସ୍ଥାରେ ତାଙ୍କ ସ୍ୱାମୀ ଦେଖିବାକୁ ପାଇଥିଲେ। ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ସହ ସମ୍ବେଦନଶୀଳ ଅଙ୍ଗରେ ଗଭୀର କ୍ଷତ ହୋଇଥିବା ଦେଖି ଚୁରନ୍ତ ଚିକିତ୍ସାପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୩ ଦିନର ଚିକିତ୍ସା ପରେ ମଧ୍ୟ ପୀଡିତାଙ୍କ ଚେତା ନଫେରିବାରୁ ୧୧ ତାରିଖ ସକାଳେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ରାତିରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ୍କୁ ରେଫର୍ କରାଯାଇଥିଲା। ଆମ୍ବୁଲାନ୍ସରେ ନିଆଯାଉଥିବା ସମୟରେ ରାୟଗଡାଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସ୍ୱାମୀ ଅଭିଯୋଗ କରିଥିଲେ ଏବଂ ଏନେଇ ୯ ତାରିଖରେ ମାଲକାନାଗିରି ଥାନାରେ ଏତଲା ମଧ୍ୟ ଦେଇଥିଲେ। ଯେହେତୁ ସେ ପୁଲିସ୍ କ୍ୟାଣ୍ଟିନରେ କାମ କରୁଥିଲେ ଏହି ଘଟଣା ପଛରେ ସେଠାକାର ବ୍ୟକ୍ତିବିଶେଷଙ୍କ ହାତଥିବା ମଧ୍ୟ ସନ୍ଦେହ କରାଯାଉଛି।

ଏହା ମଧ୍ୟ ପୁଲିସ୍ ବିଭାଗ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ତଥା ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଖଲ ପିଟିସନକୁ ଶୁଣାଣି କରି ଆଜି ଜଷ୍ଟିସ ବି.ପି ଦାସ ଏବଂ ସଦସ୍ୟ ଅସିମ୍ ଅମିତାଭ ଦାସଙ୍କୁ ନେଇ ଗଠିତ ଖଣ୍ଡପିଠ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଆସନ୍ତା ୭ ତାରିଖ ସୁଦ୍ଧା ତଦନ୍ତର ସ୍ଥିତି ସଂପର୍କରେ ସବିଶେଷ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *