ମେକ୍ ଇନ୍ ଓଡ଼ିଶା: ନିଯୁକ୍ତି ଓ ନିବେଶ ସୃଷ୍ଟିରେ ୯୯ % ଫେଲ୍
ଭୁବନେଶ୍ୱର, (ହରିହର ପଣ୍ଡା): ରାଜ୍ୟରେ ନିଯୁକ୍ତିଭିତ୍ତିକ ଶିଳ୍ପ ସଂଖ୍ୟା ବୃଦ୍ଧି ତଥା ନିବେଶକଙ୍କ ପାଇଁ ଏକ ସୁସ୍ଥ ଶିଳ୍ପ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୧୬ ମସିହାରୁ ଆରମ୍ଭ କରିଛନ୍ତି ‘ମେକ୍ ଇନ୍ ଓଡ଼ିଶା’ ସମ୍ମେଳନ। ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ସମ୍ମେଳନ ଢାଞ୍ଚାରେ ଏହି ପଦକ୍ଷେପ ନିଆଯାଇଛି। ଆଉ କିଛିଦିନରେ ଏହାର ତୃତୀୟ ସଂସ୍କରଣ ଭୁବନେଶ୍ୱରଠାରେ ଆୟୋଜନ ହେବାକୁ ଯାଉଛି। ଦେଶ ବିଦେଶର ବିଭିନ୍ନ ଶିଳ୍ପବିତ୍ ଓ ରାଷ୍ଟ୍ରଦୂତଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଲୋଚନା କରି ଓଡ଼ିଶାରେ ଥିବା ଶିଳ୍ପ ସୁଯୋଗକୁ ଉନ୍ମୁକ୍ତ କରିବା ଲାଗି ଚାହିଁଛନ୍ତି। ଏହାଛଡ଼ା ସେମାନଙ୍କଠାରୁ ନିବେଶ ଆହ୍ବାନ କରିଛନ୍ତି। ହେଲେ ପୂର୍ବ ରେକର୍ଡ଼ ଓ ଓଡ଼ିଶାର କାର୍ଯ୍ୟଧାରାକୁ ଦେଖିଲେ ଏହି ‘ମେକ୍ ଇନ୍ ଓଡ଼ିଶା’ ଏକ ଆହ୍ୱାନ ବା ସରକାରୀ ସ୍କିମ୍ ନୁହେଁ , ବରଂ ସ୍କାମ୍ ବା ଛଳନା ଭାବେ ଆମ ଆଗରେ ଠିଆ ହୋଇଛି। ଆସନ୍ତୁ ନଜର ପକାଇବା ଏ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ:
ମେକ୍ ଇନ୍ ଓଡ଼ିଶା ଏକ ଜାକଜମକ ପ୍ରହେଳିକା
ଶେଷଥର ପାଇଁ ମେକ୍ ଇନ୍ ଓଡ଼ିଶା ଆୟୋଜନ ହୋଇଥିଲା ୨୦୧୮ ମସିହାରେ। କରୋନା ଲାଗି ଏହି ଦ୍ୱିବାର୍ଷିକ ଶିଳ୍ପବିତ୍ଙ୍କ ସମ୍ମେଳନ ୨୦୨୦ରେ ହୋଇ ପାରି ନଥିଲା। ଏହି ସମ୍ମେଳନର ପ୍ରମୁଖ ଲକ୍ଷ୍ୟ ହେଉଛି ରାଜ୍ୟକୁ ଶିଳ୍ପବିତ୍ଙ୍କୁ ଆକର୍ଷଣ କରି ଏଠାରେ ନିଯୁକ୍ତି ଭିତ୍ତିକ ଶିଳ୍ପାନୁଷ୍ଠାନ ବସାଇବା ତଥା ରାଜ୍ୟରେ ଅର୍ଥନୀତିକ ବିକାଶ ସାଙ୍ଗକୁ ବେକାରୀ ସଂଖ୍ୟା ହ୍ରାସ କରିବା। ଏଥିଲାଗି ପ୍ରଥମ ସମ୍ମିଳନୀ ଆୟୋଜନରେ ଯେତିକି ଖର୍ଚ୍ଚ କରାଯାଇଥିଲା ତାହାର ୪ଗୁଣା ବା ୪୦୦ ପ୍ରତିଶତ ଅଧିକ ଖର୍ଚ୍ଚ କରାଯାଇଥିଲା ଦ୍ୱିତୀୟ ସମ୍ମିଳନୀରେ। ଆଉ ଏବେ ତୃତୀୟ ସମ୍ମିଳନୀ ଲାଗି ୭୦୦% ଅଧିକ ଖର୍ଚ୍ଚ ଲାଗି ବି ଅନୁମୋଦନ କରାଯାଇଛି। ରାଜ୍ୟବାସୀଙ୍କ ପକେଟରୁ ଯାଉଥିବା ଏହି ଅର୍ଥକୁ ଫିକି ଦ୍ୱାରା ଖର୍ଚ୍ଚ କରୁଛନ୍ତି ସରକାରଙ୍କ ଶିଳ୍ପ ବିଭାଗ। ହେଲେ ଯେଉଁ ଫଳାଫଳ ନିଯୁକ୍ତି ସୃଷ୍ଟି ତଥା ନିବେଶ ବୃଦ୍ଧିରେ ମିଳିବା କଥା ତାହା ନକରାତ୍ମକ ରହିଛି। ଏପରିକି ଏ ଦୁଇ କ୍ଷେତ୍ରରେ ୧ ପ୍ରତିଶତ ସଫଳତା ବି ମିଳିପାରି ନାହିଁ।
ନିବେଶ ଆଶାରେ ୯୯% ଫେଲ
୨୦୧୬ରେ ଆୟୋଜିତ ପ୍ରଥମ ମେକ୍ ଇନ୍ ଓଡ଼ିଶାରେ ଅନେକ ଶିଳ୍ପପତି ଓଡ଼ିଶାକୁ ଆସିଲେ। ସିଆଇଆଇ ସଂଯୋଜନାରେ ରାଜ୍ୟ ୧୦ କୋଟି ଟଙ୍କା ଖର୍ଚ୍ଚ କରି ସେମାନଙ୍କ ରହିବା, ଖାଇବା ସହ ରାଜ୍ୟରେ ଏକ ଅତ୍ୟାଧୁନିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଆଲୋଚନା, ଚର୍ଚ୍ଚା, ରାଜନୀତିକ ଉତ୍ସାହ ସହ ଏଥିରେ ଥିଲା ନିବେଶକଙ୍କ ପ୍ରତିଶ୍ରୁତି। ସେତେବେଳେ ରାଜ୍ୟ ସରକାର କହିଥିଲେ ତାଙ୍କୁ ୨ ଲକ୍ଷ ୩ ହଜାର କୋଟି ଟଙ୍କା ନିବେଶ ଲାଗି ପ୍ରତିଶୃତି ମିଳିଛି। ସେହିପରି ୨୦୧୮ରେ ଆୟୋଜିତ ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ନିବେଶ ପ୍ରତିଶୃତି ମିଳିଥିବା ରାଜ୍ୟ ସରକାର କହିଥିଲେ। ଅର୍ଥାତ୍ ଦୁଇଟିଯାକ ସମ୍ମେଳନରେ ୬ଲକ୍ଷ ୨୬ ହଜାର କୋଟି ଟଙ୍କା ନିବେଶର ପ୍ରତିଶୃତି ମିଳିଥିଲା। ହେଲେ ଏଯାଏ ପ୍ରକ୍ରିୟାରେ ଥିବା ପ୍ରତିଶୃତିକୁ ମିଶାଇ ମାତ୍ର ୫ ହଜାର ୬୭୪ କୋଟି ଟଙ୍କା ନିବେଶ ଆଶ୍ଵାସନା ସଫଳ ହୋଇଛି ବୋଲି କୁହାଯାଇପାରେ। ଅର୍ଥାତ୍ ଏହି ଦୁଇ ସମ୍ମିଳନୀ ୦.୯୦ ପ୍ରତିଶତ ଅର୍ଥାତ୍ ୧ ପ୍ରତିଶତରୁ ବି କମ୍ ସଫଳତା ହାସଲ କରିପାରିଛନ୍ତି। ସ୍ପଷ୍ଟଭାବେ କହିଲେ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରୁ ୯୯ ପ୍ରତିଶତ ବିଫଳତା ହିଁ ପାଇଛନ୍ତି।
ନିଯୁକ୍ତି ସୃଷ୍ଟିରେ ୯୯.୨୦% ଫେଲ
ଏବେ ନିବେଶ ସମ୍ପର୍କିତ ନିଯୁକ୍ତି କଥା। ମେକ୍ ଇନ୍ ଇଣ୍ଡିଆ ଆୟୋଜନର ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ନିବେଶ ସମ୍ପର୍କିତ ନିଯୁକ୍ତି ସୃଷ୍ଟି। ହେଲେ ରାଜ୍ୟ ସରକାର ଏଥିରେ ବି ଶତ ପ୍ରତିଶତ ନହେଲେ ବି ୯୯.୨୦ ପ୍ରତିଶତ ଫେଲ୍ ମାରିଛନ୍ତି। ଅର୍ଥାତ୍ ରାଜ୍ୟରେ ଯେଉଁ ନିବେଶ ଜନିତ ନଯୁକ୍ତି ସୃଷ୍ଟି ଲାଗି ଆଶା ଦେଖାଇଥିଲେ ତାହା ବିଫଳ ହୋଇଛି। ପ୍ରଥମ ସମ୍ମିଳନୀରେ ୧ ଲକ୍ଷ ୪୦ ହଜାର ଏବଂ ଦ୍ୱିତୀୟ ସମ୍ମିଳନୀରେ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସୃଷ୍ଟି ଲାଗି ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର। ଏହା ପରେ ନିର୍ବାଚନ ଆସିଥିଲା ଆଉ ସେଥିରେ ବି ବିପୁଳ ବିଜୟ ପାର୍ଇ ସ୍ଥିର ଓ ସୁସ୍ଥ ସରକାର ଗଠନ ହୋଇଛି ରାଜ୍ୟରେ କିନ୍ତୁ ନିଯୁକ୍ତି ସୃଷ୍ଟି ପ୍ରତିଶୃତି ଯାଇଚଇ ଚୂଲିକୁ। ପରିସଂଖ୍ୟାନକୁ ଆକଳନ କଲେ ଏହି ନିବେଶ ଯୋଗୁ ରାଜ୍ୟ ସରକାର ମାତ୍ର ୫୮୦୦ଟି ନୂଆ ଚାକିରି ସୃଷ୍ଟି କରିପାରିଛନ୍ତି। ଅର୍ଥାତ୍ ୦.୭୯% ସଫଳତା ପାଇଛନ୍ତି। ଅନ୍ୟପ୍ରକାରେ କହିଲେ ରାଜ୍ୟକୁ ୯୯.୨୦ ପ୍ରତିତଶତ ଧୋକା ମିଳିଛି।
ସ୍ୱଚ୍ଛତା ରକ୍ଷାରେ ବିଫଳ, ୫–ଟି ଫେଲ୍
ରାଜ୍ୟରେ ନିଯୁକ୍ତି ଭିତ୍ତିକ ଶିଳ୍ପ ନିବେଶ ବୃଦ୍ଧି ଲାଗି ‘ମେକ୍ ଇନ୍ ଓଡ଼ିଶା’ ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ହେଲେ ଏହି ପଦକ୍ଷେପ କିପରି ନିଆଯାଉଛି, କ’ଣ ଫଳ ମିଳୁଛି ତାହାକୁ ଲୋକଙ୍କୁ ଠିକଣା ଭାବେ ବୁଝାଇବା ଏବଂ ରାଜ୍ୟର ଯୁବାପିଢ଼ିଙ୍କ ଭିତରେ ଏକ ଶିଳ୍ପୋଦ୍ୟୋଗୀ ବାତାବରଣ ସୃଷ୍ଟି ଲାଗି ସରକାର ସ୍ୱଚ୍ଛତା ଅବଲମ୍ବନ କରୁନାହାନ୍ତି। ଯଦିଓ ସ୍ୱଚ୍ଛତା ରକ୍ଷା ୫-ଟି ବିଚାର ବର୍ଗୀୟ ବିଭାଗଗୁଡ଼ିକର ପ୍ରଥମ ଲକ୍ଷ୍ୟ ହେଲେ ଏଠାରେ ଶିଳ୍ପ ବିଭାଗ ତାହାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି। ଏଣୁ ମେକ୍ ଇନ୍ ଓଡ଼ିଶା ଅଧୀନରେ କେତେ ଶିଳ୍ପାନୁଷ୍ଠାନ ସରକାରଙ୍କ ସହ ବୁଝାମଣା କଲେ, କେତେ ଶିଳ୍ପଙ୍କୁ ସହାୟତା ଦିଆଗଲା ତାହାକୁ ସ୍ପଷ୍ଟ କରିବା ଲାଗି ବିଭାଗ ଅସଫଳ ହୋଇଛି। କେବଳ ବିଭିନ୍ନ ସମୟରେ ବିଧାନସଭାରେ ଆଗତ ଖବରକୁ ଆଧାରକରି ରିପୋର୍ଟ ଲେଖିବାକୁ ବାଧ୍ୟ ହେଉଛନ୍ତି ଗଣମାଧ୍ୟମ। ଶିଳ୍ପବିଭାଗର ପୋର୍ଟାଲ୍ରେ ବୁଝାମଣା ସ୍ୱାକ୍ଷର ସମ୍ବନ୍ଧିତ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ସେଥିରେ କେବଳ ୨୦୧୬ ଯାଏ ତଥ୍ୟ ରହିଛି। ପୁଣି ଏହି ପୋର୍ଟାଲ୍ରେ ୨୦୧୫-୧୬ ବର୍ଷର ବାର୍ଷିକ ବିବରଣୀ ପରେ ଆଉ ତଥ୍ୟ ନାହିଁ। ଅର୍ଥାତ୍ ମେକ୍ ଇନ୍ ଓଡ଼ିଶାକୁ ଲୁଚାଉଛନ୍ତି ବା ବିଭାଗ ଏହାକୁ ଡରୁଛି।
ଷ୍ଟାର୍ଟଅପ୍ ଫେଲ୍
ଯୁବାବର୍ଗଙ୍କ ମନରୁ ଚାକିରି ନିଶା ବାହାର କରି ଉଦ୍ୟୋଗୀ ହେବାର ନିଶା ସୃଷ୍ଟି ଲାଗି ଏହା ଏକ ବିଶେଷ ଉଦ୍ୟମ। ଦେଶର ବିଭିନ୍ନ ପ୍ରାନ୍ତରେ ଏଥିଲାଗି ଉଦ୍ୟମ ହେଉଛି। ବିଭିନ୍ନ ରାଜ୍ୟ ମଧ୍ୟ ଓଡ଼ିଶା ଭଳି ଶିଳ୍ପୋଦ୍ୟୋଗୀ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏ ଭିତରେ ଆଭରାଜ୍ୟରେ ୧୪୩୪ଟି ଷ୍ଟାର୍ଟଅପ୍ ଚିହ୍ନଟ କରାଯାଇଥିବାବେଳେ ୧୦୧ଟି ଷ୍ଟାର୍ଟଅପ୍କୁ ସହାୟତା ଦିଆଯାଇଛି ବୋଲି ସରକାରୀ ତଥ୍ୟରେ ଉଲ୍ଲେଖ ରହିଛି। ହେଲେ ଏ ରିପୋର୍ଟକୁ ଦେଖିଲେ ବର୍ଷକୁ ବର୍ଷ ଷ୍ଟର୍ଟଅପ୍ ନିର୍ମାଣ ଏବଂ ସହାୟତା ପ୍ରଦାନରେ ହ୍ରାସ ଦେଖିବାକୁ ମିଳୁଛି। ଷ୍ଟାର୍ଟଅପ୍ ଓଡ଼ିଶାରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୭ ମସିହାରେ ୧୮୫ଟି ଷ୍ଟାର୍ଟଅପ୍କୁ ଚିହ୍ନଟ କରାଯାଇଥିଲା। ୨୦୧୮-୧୯ ବେଳକୁ ଏହା ୨୧୫ରେ ପହଞ୍ଚିଲା। ହେଲେ ୨୦୧୯-୨୦ରେ ଏହି ସଂଖ୍ୟା ୨୩କୁ ହ୍ରାସ ଘଟିଲା। ହୁଏତ କରୋନା କାଳ ଏହାର କାରଣ ହୋଇପାରେ। କିନ୍ତୁ ଦେଶର ଅନ୍ୟ ପ୍ରାନ୍ତରେ ଏହି ସମୟ ଯୁବ ଉଦ୍ୟୋଗୀଙ୍କୁ ନୂଆ ଶିଳ୍ପ ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଦେଇଥିଲା। ସେହିପରି ସରକାର ୨୦୧୭-୧୮ ବର୍ଷରେ ସରକାର ୩୦ଟି ଷ୍ଟାର୍ଟଅପ୍କୁ ସହାୟତା ଦେଇଥିବାବେଳେ ଏହି ସଂଖ୍ୟା ୨୦୧୯-୨୦ରେ ମାତ୍ର ୧ ଥିଲା। ଯେଉଁ ସମୟରେ ରାଜ୍ୟର ଯୁବାବର୍ଗ ସରକାରୀ ସହାୟତା ଖୋଜୁଥିଲେ ସେତେବେଳେ ସରକାର ସହାୟତାର ପେଡ଼ିକୁ ବନ୍ଦ କରିଦେଇଥିଲେ।
ପ୍ରତିଦ୍ଵନ୍ଦ୍ଵିତାରେ ଫେଲ
ଖାଲି ପ୍ରୋତ୍ସାହନ ବା ଗଠନରେ ଫେଲ୍ ମାରି ନାହାନ୍ତି ରାଜ୍ୟ ସରକାର, ଅନ୍ୟ ରାଜ୍ୟଗୁଡ଼ିକର ତୁଳନାରେ ବି ଆମେ ବେଶ୍ ପଛରେ ପଡ଼ୁଛୁ। ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଦେଉଥିବା ତଥା ସେମିତି ଏକ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି। ଯେଉଁ ୫ଟି ବର୍ଗରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି, ସେହି ତାଲିକାରେ ଓଡ଼ିଶା ରାଜ୍ୟର ନା ବି ନାହିଁ। ଏପରିକି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତୁଳନାରେ ଆମେ ପଛରେ ପଡ଼ିଛୁ।
ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ରେ ସବୁଠୁ ପଛୁଆ
ବ୍ୟବସାୟ କରିବାର ବାତାବରଣକୁ ସରଳ କରିବା ତଥା ପ୍ରଫେସନାଲ୍ ଢଙ୍ଗରେ ପରିଚାଳନା କରିବାର ଏକ ପ୍ରଣାଳୀ ହେଉଛି ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ବା ଇଓଡିପି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଭିତରେ ଏପରି ଶିଳ୍ପ ବାତାବରଣ ସୃଷ୍ଟି ଲାଗି ପ୍ରତିଦ୍ଵନ୍ଦ୍ଵିତା ମୂଳକ ବାତାବରଣ ସୃଷ୍ଟି ଲାଗି ଏକ ତାଲିକା ପ୍ରକାଶ କରିଛନ୍ତି। ଏହି ଇଜ୍ ଅଫ୍ ଡୁଇଙ୍ଗ୍ ଇକୋ ସିଷ୍ଟମ୍ ତାଲିକାରେ ଓଡ଼ିଶାର ସ୍ଥାନ କେତେ ଜାଣନ୍ତି? ସବୁଠୁ ତଳୁଆ, ୨୯। ଅର୍ଥାତ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରୁ ଓଡ଼ିଶାରେ ବ୍ୟବସାୟ କରିବା କଷ୍ଟକର। ଖାଲି ସେତିକି ନୁହେଁ ଏହି ପରିବେଶ ଦିନକୁ ଦିନ ଉତ୍କଟ ହୋଇ ଚାଲିଛି। ୨୦୧୭ ମସିହାରେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ୭ ଥିଲା। ୨୦୧୭ ମସିହାରେ ଆଉ ୭ ପାଦ ତଳକୁ ଖସି ୧୪ ହେଲା। ୨୦୧୯ରେ ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁସାରେ ଏବେ ରାଜ୍ୟର ସ୍ଥାନ ଏହି ତାଲିକାରେ ଆହୁରି ୧୫ ପାଦ ତଳକୁ ଖସି ୨୯ ହୋଇଛି। ଆମ ପଡ଼ୋଶୀଙ୍କ ସ୍ଥିତି କିନ୍ତୁ ଏହି ସୂଚକାଙ୍କରେ ବେଶ୍ ଭଲ ରହିଛି। ଆନ୍ଧ୍ରପ୍ରଦେଶର ସ୍ଥାନ ୧ ନମ୍ବର ହୋଇଥିବାବେଳେ ବ୍ୟବସାୟ କରିବା ପାଇଁ ସହଜିଆ ସ୍ଥାନ ଭାବେ ତେଲେଙ୍ଗାନାର ସ୍ଥାନ ରହିଛି ୩। ସେହିପରି ଝାଡ଼ଖଣ୍ଡ ୫ ନମ୍ବରରେ ଥିବାବେଳେ ପଶ୍ଚିମବଙ୍ଗର ସ୍ଥାନ ୯ ରହିଛି।
ଓଡ଼ିଶାରେ ଶିଳ୍ପ ବିକାଶରେ ବାଧକ ସାଜୁଥିବା ଅନେକ କାରଣ ରହିଛି। ତଥାପି ଓଡ଼ିଶାରେ ଶିଳ୍ପାଦ୍ୟୋଗର ସୁଯୋଗ ରହିଛି ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ଏହାର ଭିତ୍ତିଭୂମି, ସାମୁଦ୍ରିକ ଉପକୂଳ ଏବଂ ମାନବସମ୍ବଳ ନିଶ୍ଚିତଭାବେ ଶିଳ୍ପାନୁଷ୍ଠାନ ଯୋଗ୍ୟ। କିନ୍ତୁ ଆମେ ଯେଉଁ କ୍ଷେତ୍ରରେ ଧ୍ୟାନ ନିବେଶ କରିବା କଥା ବୋଧ ହୁଏ ସେଥିରେ ବିଫଳ ହୋଇଛୁ। କିନ୍ତୁ ‘ଗୋଠ ମାତିଲେ ଖଣ୍ଡିଆ ମାତେ’ ନ୍ୟାୟରେ ଆମେ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ତୁଳନା କରି ସେହି ରାସ୍ତା ଆପଣାଉଥିବାରୁ କେବଳ ଟିକସଦାତାଙ୍କ ଅର୍ଥକୁ ପାଣିରେ ପକାଉଛୁ ତାହା ନିଃସନ୍ଦେହ।