ବାପୁଙ୍କ ୭୩ତମ ପୁଣ୍ୟତିଥି ଦିବସରେ ରାଜଘାଟରେ ପହଞ୍ଚିଲେ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ଅର୍ଥାତ ବାପୁଙ୍କର ଆଜି ୭୩ତମ ପୁଣ୍ୟତିଥି ଦିବସ । ୩୦ ଜାନିଆରୀ ୧୯୪୮ମସିହାରେ ଗାନ୍ଧିଜୀ, ନାଥୁରାମ ଗଡ଼ସେ ଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ବାପୁଙ୍କ ଏହି ପୂଣ୍ୟ ତିଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାହୁଲ୍ ଗାନ୍ଧି ମଧ୍ୟ ମହାତ୍ମାଙ୍କୁ ମନେ ପକାଇଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ରାଜଘାଟରେ ପହଞ୍ଚିଛନ୍ତି । ସେଠାରେ ରାଷ୍ଟ୍ରପିତାଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାଛଡ଼ା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେଠାକୁ ଯାଇଥିବା ସୂଚନା ମିଳିଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ତିଥିରେ ମହାତ୍ମାଙ୍କୁ ମନେପକାଇ ଟ୍ୱିଟ୍ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, “ମୁଁ କୃତଜ୍ଞ, ରାଷ୍ଟ୍ର ତରଫରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମକୁ ଶାନ୍ତି, ଅହିଂସା, ସରଳତା, ଶୁଦ୍ଧତା ଏବଂ ନମ୍ରତାର ସହିତ ତାଙ୍କର ଉପଦେଶଚକୁ ପାଳନ କରିବା ଉଚିତ୍ । ଆସନ୍ତୁ ସମସ୍ତେ ମିଳିମିଶି ତାଙ୍କର ସତ୍ୟ ଏବଂ ପ୍ରେମର ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେବା ବୋଲି ରଷ୍ଟ୍ରପତି କୋବିନ୍ଦ ଆହ୍ୱାନ ଦେଇଛନ୍ତି” ।