ଭଦ୍ରକରେ ଜଣେ ମହାରାଷ୍ଟ୍ର ଫେରନ୍ତାଙ୍କୁ ନେଇ ଟେନସନ୍ : ହେଲା କୋଭିଡ୍ ପରୀକ୍ଷା, ଜଣାପଡିନି କେଉଁ ଷ୍ଟ୍ରେନ୍

ଭଦ୍ରକ, (ଓଡିଶା ଟାଇମ୍) :ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କରୋନାର ନୂଆ ଷ୍ଟ୍ରେନ୍ ନେଇ ମହାରାଷ୍ଟ୍ର ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଭଦ୍ରକର ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି । ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ତାଙ୍କର ଜେନମ୍ ସିକ୍ବେନ୍ସ ହେବା ପରେ ତାହା କେଉଁ ଷ୍ଟ୍ରେନ୍ ଜଣାପଡିବ ।

କୋଭିଡ୍ ନିୟମ ମାନିଲେ ସଂକ୍ରମଣରୁ ରୋକାଯାଇପାରିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ମାର୍ଚ୍ଚ ମାସରୁ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ସଂକ୍ରମଣ ବଢିଲେ କୋଭିଡ୍ ହସ୍ପିଟାଲ ଖୋଲିବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା । ଜୋରଦାର ହେବ ଧରପଗଡ଼ । କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଛି । ତେଣୁ ରାଜଧାନୀରେ ପୋଲିସ ଏବଂ ବିଏମସି କଠୋର ହେଲାଣି । ଆଉ ଢିଲାପଣ ଚଳିବନି । ଅମାନିଆଙ୍କ ଉପରେ ନଜର ରଖାଯିବ । ନିୟମ ନମାନିଲେ ଗଣିବାକୁ ପଡ଼ିବ ତଣ୍ଡ । ମହାରାଷ୍ଟ୍ରଠୁ ଆରମ୍ଭ କରି କେରଳରେ କୋଭିଡ୍ କେସ୍ ବଢ଼ିଲାଣି । ପଡ଼ୋଶୀ ଛତିଶଗଡ଼ରେ ବି ସଂକ୍ରମଣ ଉପରମୁହାଁ । ତେଣୁ ଭୁବନେଶ୍ବର ମହାନଗର ନିଗମ ଏବଂ ପୋଲିସ ତତ୍ପର ହୋଇ ଉଠିଛି । ମାସ୍କ ଥୋଡ଼ରେ କି କାନରେ ଝୁଲେଇଲେ ନିସ୍ତାର ନାହିଁ । ମାଡ଼ିବସିବ ପୋଲିସ । ହାଟ, ବଜାର, ସପିଂ କମ୍ପ୍ଲେକ୍ସ, ମଲ୍ ସବୁଠି କଡ଼ାକଡ଼ି ଯାଞ୍ଚ ହେବ । ଜୋନାଲ ଡେପୁଟି କମିଶନରମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି ।

Leave a Reply

Your email address will not be published. Required fields are marked *