ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାଓ୍ଵାର
ମୁମ୍ବାଇ, (ଓଡିଶା ଟାଇମ୍): ମହାରାଷ୍ଟ୍ରକୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି। ନୀତିନ ଗଡକରୀଙ୍କ ନିଜ ଗୃହ ରାଜ୍ୟର ରାଜନୀତିରେ ସକ୍ରିୟ ହୋଇଥିବା ଖବର ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଦିଲ୍ଲୀ ସ୍ଥିତ ବାସଭବନରେ ରାତ୍ରଭୋଜନ ଆୟୋଜନ କରିଛନ୍ତି। ଏଥିରେ ଗଡକରୀଙ୍କ ବ୍ୟତୀତ କଂଗ୍ରେସ ବିଧାୟକ ଏବଂ ଶିବସେନ ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଏହା ମଧ୍ୟରେ ଶରଦ ପାଓ୍ଵାର ବୁଧବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହା ପରେ ମହାରାଷ୍ଟ୍ର ରାଜନୀତିରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ସୂଚନା ଅନୁଯାୟୀ, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଆଲୋଚନା ହୋଇଛି। ମହାରାଷ୍ଟ୍ର ବିଧାନସଭାରେ ପ୍ରଥମ ଥର ନିର୍ବାଚିତ ବିଧାୟକଙ୍କୁ ଲୋକସଭା ସଚିବାଳୟ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣରେ ସାମିଲ୍ ହେବା ପାଇଁ ଡକାଯାଇଛି। ଏହି ଅବସରରେ ଶରଦ ପାଓ୍ଵାର ସେମାନଙ୍କୁ ମଙ୍ଗଳବାର ରାତ୍ର ଭୋଜନରେ ଆମନ୍ତ୍ରଣ କରିଥିଲେ। ଅନ୍ୟପଟେ ଶରଦ ପାଓ୍ଵାରଙ୍କ ଗଡକରୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ରାଜନୀତିକୁ ନୂତନ ଖୋରାକ ଯୋଗାଇଛି।
ମହାରାଷ୍ଟ୍ରକୁ ନେଇ ବିଜେପି ଖୁବ୍ ସକ୍ରିୟ ଅଛି। ନିଜର ପୁରୁଣା ସହଯୋଗୀ ଶିବସେନାଠୁ ମେଣ୍ଟ ଭାଙ୍ଗିବା ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଚାଲିଛି। ତେବେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟରେ ବେଳେ ବେଳେ ଫାଟ ସାମ୍ନାକୁ ଚାଲି ଆସୁଛି। ସେପଟେ ବିଜେପିର ନଜର କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ରହିଛି। ଗତ ଦିନରେ ୨୫ କଂଗ୍ରେସ ବିଧାୟକ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ମେଣ୍ଟ ସରକାରରେ ସାମିଲ୍ ମନ୍ତ୍ରୀଙ୍କ ଦ୍ଵାରା ଉପେକ୍ଷାର ଅଭିଯୋଗ କରିଛନ୍ତି। ଯଦି ବିଧାୟକଙ୍କ ଅସନ୍ତୁଷ୍ଟ ଆହୁରି ବଢେ ତେବେ ସେମାନେ ବିଦ୍ରୋହ ଆରମ୍ଭ କରି ପାରନ୍ତି। ଆଉ ଏମିତି ହେଲେ ବିଜେପି ସେମାନଙ୍କୁ ନିଜ ପାର୍ଟିରେ ସାମିଲ୍ କରାଇବାରେ ସମୟ ନଷ୍ଟ କରିବ ନାହିଁ।