ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଡକ୍ଟରେଟ୍
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ଓଡ଼ିଆ ସିନେମା କ୍ଷେତ୍ରରେ ଅନନ୍ୟ ଗବେଷଣା ଓ ସଫଳ ସନ୍ଦର୍ଭ ପ୍ରକାଶନ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚ୍ଡି ଉପାଧି ପ୍ରଦାନ କରାଯାଇଛି। ସେ ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ଶୀର୍ଷକରେ ସଫଳତା ସହକାରେ ନିଜର ସନ୍ଦର୍ଭ ପ୍ରକାଶ କରିପାରିଛନ୍ତି। ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ସେ ନିଜର କୃତି ହାସଲ କରିପାରିଛନ୍ତି।
ଏହାର ପ୍ରସ୍ତୁତି ପାଇଁ ତାଙ୍କୁ ଦୀର୍ଘ ୫ ବର୍ଷ ସମୟ ଲାଗିଛି। ପୁଣି ତାଙ୍କ ସନ୍ଦର୍ଭ ଶାନ୍ତି ନିକେତନର ଓଡ଼ିଆଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହି ନିବନ୍ଧଟି ଏକ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିପାରିବ ବୋଲି ସେମାନେ ମତ ଦେଇଛନ୍ତି।