ଜୁନ ମାସରେ କମ୍ ବର୍ଷା: ଆଶଙ୍କାରେ ଚାଷୀ
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍) :ଗତ ଜୁନ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଭାବିତା ଠାରୁ କମ୍ ବର୍ଷା ହୋଇଥିବାରୁ ଖରିଫ ଧାନ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଚାଷ ଜମିରେ ଖରିଫ ଋତୁରେ ମୁଖ୍ୟତଃ ଧାନ ଚାଷ ହୋଇଥାଏ । ଚାଷୀମାନେ ସାଧାରଣତଃ ଜୁନ ମାସରେ ଧାନ ବୁଣନ୍ତି ଓ ଧାନ ରୋଇବା ପାଇଁ ତଳି ପକାନ୍ତି । ଏହି କ୍ରମରେ ଗତ ଜୁନ ମାସରେ ଚାଷୀମାନେ ଚାଷ ଜମିରେ ଧାନ ବୁଣିବା ସହିତ ଧାନ ରୋଇବା ପାଇଁ ତଳି ପକାଇଥିଲେ । କିନ୍ତୁ ଜୁନ ମାସରେ ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଚାଷୀମାନେ ଆବଶ୍ୟକ ପରିମାଣର ଜମିରେ ଧାନ ବୁଣିପାରିନାହାଁନ୍ତି କି ରୋଇବା ପାଇଁ ତଳି ପକାଇପାରିନାହାଁନ୍ତି ।
ଜିଲ୍ଲାରେ ଜୁନ ମାସରେ କମ୍ ବଷ୍ଟିପାତ ଯୋଗୁ ଧାନ ବୁଣା ହୋଇଥିବା ଜମିରେ ଧାନ ଗଛ ଉଠି ନାହିଁ କି ଧାନ ତଳି ମଧ୍ୟ ଗଛ ହୋଇ ନାହିଁ । ଫଳରେ ଧାନ ଚାଷ ପ୍ରତି ଆଶଙ୍କା ଦେଖା ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଭାବେ ୨୦୮.୩ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଏ ବର୍ଷ ଜୁନ ମାସରେ ଜିଲ୍ଲାରେ ମାତ୍ର ୧୫୦.୮୯ମିଲିମିଓର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।
ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକ ଅଂଚଳରେ ୧୮୨ ମିଲିମିଟର, ଡେରାବିଶ ବ୍ଲକ ଅଂଚଳରେ ୧୪୭ ମିଲିମିଟର, ମାର୍ଶାଘାଇ ବ୍ଲକରେ ୧୧୩ ମିଲିମିଟର, ମହାକଳପଡ଼ା ବ୍ଲକରେ ୧୫୪ ମିଲିମିଟର, ଗରଦପୁର ବ୍ଲକରେ ସବୁଠଡାରୁ କମ ମାତ୍ର ୭୭ ମିଲିମିଟର, ପଟାମୁଣ୍ଡାଇ ବ୍ଲକରେ ୧୧୭ ମିଲିମିଟର, ଆଳି ବ୍ଲକରେ ୧୫୦ ମିଲିମିଟର, ରାଜନଗର ବ୍ଲକରେ ୨୪୮ ମିଲିମିଟର ଓ ରାଜକିନିକା ବ୍ଲକରେ ୧୭୦ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ଼ ହୋଇଛି । ଗତ ଜୁନ ମାସରେ ସମଗ୍ର ଜିଲ୍ଲାରେ ମାତ୍ର ୧୩୫୮ ମିଲିମିଟର ବୃଷ୍ଟିପାତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ମାତ୍ର ଗୋଟିଏ ବ୍ଲକ ରାଜନଗର ବ୍ଲକଅଂଚଳରେ ସ୍ୱଭାବିକତା ଠାରୁ କିଛି ଅଧିକ ପରିମାଣ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ଅନ୍ୟ ୮ଟି ବ୍ଲକ ଅଂଚଳରେ ସ୍ୱାଭାବିକତା ଠାରୁ ଢେର କମ୍ ପରିମାଣର ବୃଷ୍ଟିପାତ ହୋଇଛି । ଚଳିତ ଜୁଲାଇ ମାସରେ ଜିଲ୍ଲାରେ ଭଲ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରୁଛି । ଜଲାଇ ମାସରେ ଜିଲ୍ଲାରେ ସ୍ୱଭାବିକ ବର୍ଷା ହେଲେ ଖରିଫ ଧାନ ଚାଷ ଆଗେଇ ପାରିବ । ହେଲେ ଜୁନ ମାସରେ ସ୍ୱାଭାବିକତା ଠାରୁ କମ୍ ବର୍ଷା ହେଲେ ଧାନଚାଷୀମାନେ କ୍ଷତିଗ୍ରସ୍ତ ହେବେ ।