ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !
ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି । ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ପଙ୍ଗପାଳକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ, ବାଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି ।
ଓଡ଼ିଶାରେ ଜୁନ୍ରୁ ଜୁଲାଇ ୧୫ ଭିତରେ ପଙ୍ଗପାଳ ପହଞ୍ଚିପାରନ୍ତି । ଏମାନେ ପଶ୍ଚିମ ଓଡ଼ିଶାର ବରଗଡ଼, କଳହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଭଳି ଜିଲ୍ଲାରେ ଉପଦ୍ରବ କରି ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ବଢିଛି ସତର୍କତା। ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ।