ଓଡ଼ିଶାଠାରୁ ୫୦୦କିମି ଦୂରରେ ପଙ୍ଗପାଳ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) : ଓଡ଼ିଶାଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ରହିଥିବା ସୂଚନା ରହିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ଏନେଇ ସୂଚନା ଦେଇଛନ୍ତି । ଏଥିସହ ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଆରମ୍ଭ ହୋଇଚି ମକ୍ ଡ୍ରିଲ । ଭୁବନେଶ୍ବରସ୍ଥିତ କଳ୍ପନାଛକ ସ୍ଥିତ ଅଗ୍ନିଶମ କେନ୍ଦ୍ରରେ ଚାଲିଛି ଏହି ମକ୍ ଡ୍ରିଲ ।
ସେପଟେ ପଙ୍ଗପାଳ ଆକ୍ରମଣର ଅନୁଭୂତି କଥା ବର୍ଣ୍ଣନା କରିଛନ୍ତି ସମ୍ବଲପୁର ବତେମୁଣ୍ଡାର ଜଣେ ୭୬ ବର୍ଷିୟ ଚାଷୀ । ୬୦ ବର୍ଷ ତଳେ ପଙ୍ଗପାଳ ସମ୍ବଲପୁର ଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ ଓ ଚରିଯାଇଥିଲେ ଫସଲ । ସେତେବେଳେ ପଙ୍ଗପାଳ ଧୂସର ରଙ୍ଗର ଓ ଆକାଶୀ ରଙ୍ଗର ହୋଇଥିବାବେଳେ ଉଡି ଉଡି ଆସୁଥିଲେ ଓ ଯେଉଁଠି ବସିଲେ ଫସଲ ଖାଇ ଯାଉଥିଲେ ବୋଲି କହିଛନ୍ତି ସମ୍ବଲପୁରର କୃଷକ ।
ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଜୋନରେ ବିଭକ୍ତ ସହ ସ୍ୱତନ୍ତ୍ର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।