୯ ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ
ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭାଗୀୟ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଆଦି ୯ଟି ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ହୋଇଥିଲା । ବୈଠକ ପରେ ସୂଚନା ମିଳିଛି ଯେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲା ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ରାଜ୍ୟରେ ସାଢ଼େ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତ ହ୍ବାଟ୍ସ ଆପ ମେସେଜ ଏବଂ ୮ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଚାଷୀମାନଙ୍କ ସହିତ ନିୟମିତ ସମ୍ପର୍କରେ ରହିଛି । ଗତକାଲି ଛତିଶଗଡ଼ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଛି ।