ଓଡ଼ିଶା ସରକାରଙ୍କ ଲକ୍ଡାଉନ୍-୫ ଘୋଷଣା, ଜାଣନ୍ତୁ କ’ଣ ସବୁ ବନ୍ଦ ଆଉ କ’ଣ ଖୋଲା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ କୋହଳ ହୋଇ ଆଜିଠାରୁ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆମ ରାଜ୍ୟରେ ଆହୁରି ୧ ମାସ ବଢ଼ିଛି ତାଲାବନ୍ଦୀ ସମୟସୀମା। ଏପରିକି ଜୁଲାଇ ୩୧ ତାରିଖ ଯାଏ ମଧ୍ୟ ଅନେକ କଟକଣା ଜାରି ରହିବ ବୋଲି ରାଜ୍ୟ ସରକାର ଇଙ୍ଗିତ ଦେଇଛନ୍ତି।
ଏହି କଟକଣା ଅନୁସାରେଦେବାଳୟ, ଶପିଂ ମଲ୍, ସିନେମା ହଲ, ଆନ୍ତର୍ଜାତୀୟ ବିମାନ ସେବା, ସ୍ଵିମିଂ ପୁଲ, ଜିମ୍, ଖେଳ ଷ୍ଟାଡିୟମ, ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ସବୁକିଛି ଖୋଲିବା ଆଶା ମଉଳିଛି। ରହିବା ଯୋଗ୍ୟ ହୋଟେଲ୍ କେବଳ ୩୦ ପ୍ରତିଶତଙ୍କ ପାଇଁ କାର୍ଯ୍ୟ କରିପାରିବେ। ଏଥିରେ କେବଳ ଇନ୍-ହାଉସ୍ ଅତିଥି ରହିପାରିବେ। ଠିକ୍ ସେହିପରି ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଖାଦ୍ୟ ହୋମ୍ ଡେଲିଭରୀ ଦେବା ଲାଗି ଖେଲି ପାରିବେ।
ଏହା ସହ ମଉଳିଛି ସ୍ଵଭାବିକ ଜୀବନ-ଜୀବୀକା ପ୍ରବାହ। ଏପରିକି ରାତି ୯ଟା ଯାଏ ଦୋକାନ ବଜାର ଖୋଲିବା ଏବଂ କଟକଣାରେ ଯାତାୟାତ ଉପରେ ମଧ୍ୟ ରୋକ ଲାଗିଛି। ରାଜ୍ୟ ସରକାର ପୂର୍ବ ଭଳି ଆସନ୍ତା ୩୦ ତାରିଖ ଯାଏ ରାତିରେ କର୍ଫ୍ୟୁ ଲାଗୁ କରିବେ। ଅର୍ଥାତ୍ ସନ୍ଧ୍ୟା ୭ରୁ ସବୁ କିଛି ବନ୍ଦ ରହିବ। ରାଜ୍ୟ ନୀରବ ହେବ।
ଶିକ୍ଷାନୁଷ୍ଠାନ, ସ୍କୁଲ୍, କଲେଜ ଓ କୋଚିଂ ସଂସ୍ଥାକୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଛି।
ଜୋରିମାନା ପରିମାଣ ବୃଦ୍ଧି
ମୁହଁରେ ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ପୁଲିସ ଏଣିକି ୨୦୦ ଟଙ୍କା ନୁହେଁ ୫୦୦ ଟଙ୍କା ଜୋରିମାନା ଲାଗୁ କରିବ। ଖାଲି ସେତିକି ନୁହେଁ ବାହାରେ ଛେପ ପକାଉଥିବା ଯଦି ପୁଲିସ ଦେଖିଲା ତେବେ ୫୦୦ ଟଙ୍କା ଜୋରିମାନା ଥୟ।
ପୁଲିସ ଡିଜି ଅଭୟଙ୍କ ସୂଚନା ଅନୁସାରେ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ପାଳନ କରିବ। ଯଦି କୌଣସି ସ୍ଥାନରେ ଦୁଇ ମିଟରର ଦୂରତା ରକ୍ଷା ନଥିବ କିମ୍ବା କୌଣସି ଛୋଟ ଦୋକାନ ଆଗରେ ଦୁଇଜଣରୁ ଅଧିକ ଲୋକ ଜମା ହେଉଥିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବଡ଼ ଦୋକାନ ପାଇଁ ଏକାଠି ୫ଜଣଙ୍କ ପ୍ରବେଶ ଓ ସମାଗମ ଅନୁମତି ପ୍ରଦାନ କରାଯାଇଛି।
୭ଜଣରୁ ଅଧିକ ଲୋକଙ୍କୁ ବାରଣ
କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ବସି ପାରିବେ ନାହିଁ। ଯଦି ବସିଲେ ତେବେ ପୁଲିସ ଧରିବ। ବାରିକ ଦୋକାନ, ବିୟୁଟି ପାର୍ଲର, ସେଲୁନ୍ ଖୋଲାହେବ। କିନ୍ତୁ ସେଠାରେ ଆବଶ୍ୟକ ସ୍ଵଚ୍ଛତା ଓ ପରିମଳ ରକ୍ଷା କରାଯିବ।
ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ କଟକଣା
ଯଦି ଏହି ସମୟରେ କାହାର ବାହାଘର ତିଥି ବାହାରିଛି ତେବେ ଉତ୍ସବ ଆୟୋଜନ ହୋଇପାରିବ। ହେଲେ ଏଥିଲାଗି ପୁଲିସ ସର୍ତ୍ତ ରଖାଯାଇଛି। ସର୍ବାଧିକ ୫୦ ଜଣ ଲୋକ ଏହି ଉତ୍ସବରେ ଏକାଠି ହୋଇପାରିବେ। ପୁଣି ମୃତକଙ୍କ ପାଇଁ ଯେଉଁ ଅନ୍ତ୍ୟେଷ୍ଟି କ୍ରି୍ରା ହେବ ସେଠାରେ ସର୍ବାଧିକ ୨୦ ଜଣଙ୍କ ସମାଗମ ହୋଇପାରିବ। ଅର୍ଥାତ୍ ଶବାଧାରରେ ୨୦ଜଣରୁ ଅଧିକ ଲୋକଙ୍କ ସମାଗମ ନକରାଇବାକୁ ରାଜ୍ୟ ସରକାର ସଂଶୋଧିତ ନିୟମାବଳୀରେ ପ୍ରକାଶ କରିଛନ୍ତି।
ଶନିବାର ଓ ରବିବାର କର୍ଫ୍ୟୁ
ଜୁନ୍ ମାସଟି ସଂକ୍ରମଣର ସବୁଠାରୁ ସମ୍ବେଦନଶୀଳ ମାସ ଭାବେ ସରକାର ଆଶଙ୍କା କରିଛନ୍ତି। ଯେହେତୁ ରାଜ୍ୟକୁ ଦିନକୁ ଦିନ ପ୍ରବାସୀଙ୍କ ଆଗମନ ବଢ଼ୁଛି ତାହା ଏହି ଆଶଙ୍କାକୁ ବଢ଼ାଇ ଚାଲିଛି। ଏଣୁ ରାଜ୍ୟରେ ୭ ଦିନର ଆନୁଷ୍ଠାନିକ କ୍ଵାରେଣ୍ଟିନ୍କୁ ବାଧ୍ୟତାମୂଳକ କରାଯାଇଛି। ଏବେ ରାଜ୍ୟରେ ସାଢ଼େ ଚାରି ହଜାର ନୁମନା ପରୀକ୍ଷଣ କରାଯାଉଥିବା ମୁଖ୍ୟ ସଚିବ କହିଛନ୍ତି। ପୁଣି ରାଜ୍ୟକୁ ଟ୍ରେନ୍, ବସ୍ ଏବଂ ଆକାଶପଥରେ ଆଗମନ ବଢ଼ିଥିବାରୁ କରୋନା ଭୁତାଣୁର ସଂକ୍ରମଣ ଅବରୋଧ କରିବା ଏକ ଆହ୍ବାନ ପାଲଟିଛି। ଏଣୁ ରାଜ୍ୟ ସରକାର ଆନ୍ତର୍ଜାତୀୟ ବିମାନ କୁ ରାଜ୍ୟକୁ ବାରଣ କରିଛନ୍ତି। ଠିକ୍ ସେହିପରି ଯେତିକି ପରିମାଣରେ ବିମାନ ଚାଲିଛି ସେତିକିରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦିନ ସମ୍ପୂଣ୍ଣ କର୍ଫ୍ୟୁ ଭଳି ପରିସ୍ଥିତି ଜାରି କରାଯିବ। ଏଥିଲାଗି ସରକାର ଶଟ୍ଡାଉନ୍ ଆଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ବଲାଙ୍ଗୀର। ୩୦ ଜୁନ୍ ଯାଏ ପ୍ରତି ଶନିବାର ଓ ରବିବାର ଦିନ ଏହି ଜିଲ୍ଲାଗୁଡ଼ିକ ସମ୍ପୂଣ୍ଣ ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା, ଅନୁମତି ପାଇଥିବା ଶିଳ୍ପ, ଗଣମାଧ୍ୟମ ସଂସ୍ଥା, ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା, ରେଳ ଷ୍ଟେସନ୍, ବିମାନ ବନ୍ଦରରୁ ଆଗନ୍ତୁକଙ୍କ ପରିବହନ, ହୋଟେଲ୍ ହସ୍ପିଟାଲିଟି ଶିଳ୍ପ, ଟେଲିଫୋନ୍, ପେଟେଆଲ୍ ପମ୍ପ ବ୍ୟତୀତ ଅନ୍ୟ ସବୁ ସେବାକୁ ବନ୍ଦ କରାଯାଇଛି।
ଓଡ଼ିଶାରେ ୩୦ ଜୁନ୍ ଯାଏ ଲକ୍ଡାଉନ୍ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍, କଲେଜ ବନ୍ଦ