ୟୁପି ସଫାରିରେ ଦୁଇ ସିଂହ କରୋନା ପଜିଟିଭ୍

ଲକ୍ଷ୍ନୋ ,(ଓଡିଶା ଟାଇମ୍): କରୋନାକୁ ନେଇ ଆସିଲା ଆଉ ଏକ ନୂଆ ତଥ୍ୟ । ମଣିଷ ପରେ ଏବେ ଜୀବଜନ୍ତୁଙ୍କୁ ସଂକ୍ରମିତ ହେଉଛି କରୋନା । ଭାରତରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଇଟାଓ୍ୱା ସିଂହ ସଫାରିର ଦୁଇ ସିଂହ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି  । ମାଈ ସିଂହ ଗୌରୀ ଏବଂ ଜେନିଫର କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି  ସଫାରି ନିର୍ଦ୍ଦେଶକ ।

ଗୌରୀର ବୟସ ୩ବର୍ଷ ହୋଇଥିବା ବେଳେ ଜେନିଫର ବୟସ ୯ । ଗତକାଲି ଦୁହିଁଙ୍କ ଶରୀରର ତାପମାତ୍ରା ୧୦୪ ଡିଗ୍ରୀ ଏବଂ ୧୦୫ ଡିଗ୍ରୀ ରହିଥିଲା । ଏହାପରେ ଦୁଇ ସିଂହୀଙ୍କ ରକ୍ତ ଏବଂ ମଳର ନମୂନାକୁ ସ୍ଵତନ୍ତ୍ର ଅନୁସନ୍ଧାନ ପାଇଁ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ବରେଲିକୁ ପଠାଯାଇଥିଲା । ପରୀକ୍ଷା ପରେ ଉଭୟ ସିଂହ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି ଏହି ଦୁଇ ସିଂହୀଙ୍କୁ ଇଟାଓ୍ୱା ସ୍ଥିତ ବନ୍ୟଜନ୍ତୁ ଚିକିତ୍ସାଳୟରେ ଆଇସୋଲେସନରେ ରଖାଯାଇଛି।

ଏହି ସଫାରୀରୁ ୧୪ ଟି ସିଂହଙ୍କ ସାମ୍ପଲ ପରୀକ୍ଷା ପାଇଁ ଇଣ୍ଡିଆନ ଭେଟେନାରୀ ରିସର୍ଚ ଇନଷ୍ଟିଚୁସନକୁ ପଠା ଯାଇଥିଲା । ସେଠାରେ କୋଭିଡ୍ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଗୁରୁବାର ଗୋଟିଏ ସିଂହର ପଜିଟିଭ ଆସିଲା । ଅନ୍ୟଟିର କୋଭିଡ୍ ଥିବା ସନ୍ଦେହ କରାଯାଉଛି । ତେବେ ଅନ୍ୟ ବାରଟି ସିଂହ ନେଗେଟିଭ ଥିବା ଜଣାଯାଇଛି । ଆଇଭିଆରଆଇ ଜଏଣ୍ଟ ଡାଇରେକଟର ଡ଼.କେପି ସିଂହ କହିଛନ୍ତି ।

Leave a Reply

Your email address will not be published. Required fields are marked *