ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନକୁ ମଞ୍ଜୁରୀ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ମିଳିଲା ଅନୁମତି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଂଜୁରୀ ମିଳିଛି। ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି।

ଏହି ଅଧ୍ୟାଦେଶ ଅନୁସାରେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଏକ ୧୫ ଜଣିଆ କମିଟି ଗଠନ କରାଯିବ। ଏହି କମିଟି ଲିଙ୍ଗରାଜ ମନ୍ଦିର ଓ ମନ୍ଦିର ସମ୍ପତ୍ତିର ପରିଚାଳନା କରିବ। ଏହି କମିଟି ନିକଟରେ ମହାପ୍ରଭୁଙ୍କ ସେବା ଓ ପୂଜା ନୀତି ସହ ମନ୍ଦିର ପରିଚାଳନା ସମ୍ପର୍କୀତ ସାଧାରଣ ଓ ସ୍ୱତନ୍ତ୍ର କ୍ଷମତା ରହିବ। ମନ୍ଦିରର ଦୈନନ୍ଦିନ କାର୍ଯ୍ୟକଳାପ ବୁଝିବା ଲାଗି ଶ୍ରୀମନ୍ଦିର ଢାଞ୍ଚାରେ ଜଣେ ପ୍ରଶାସକ ମଧ୍ୟ ନିଯୁକ୍ତି ହେବେ।

ଅନ୍ୟପଟେ,  ପୁରୀ, ଯାଜପୁରରେ ମେଡିକାଲ କଲେଜ ନେଇ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେହି ପରି ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ କରାଯିବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ୍‌ର ନିର୍ମାଣ ତିନି ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି।

Leave a Reply

Your email address will not be published. Required fields are marked *