ବାତ୍ୟା ଗୁଲାବ୍: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାତ୍ୟା ‘ଗୁଲାବ୍’କୁ ନେଇ ଦକ୍ଷିଣ ଓଡ଼ିଶାରେ ଭୟର ବାତାବରଣ ଦେଖାଦେଇଛି। କାରଣ ଏଠାରେ ପବନର ବେଗ ନୁହେଁ, ବରଂ ବାତ୍ୟା ପରବର୍ତ୍ତୀ ସମୟରେ ଭୂ-ସ୍ଖଳନ। ୨୦୧୮ ଏବଂ ୨୦୧୯ ମସିହାରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପ୍ରସ୍ତୁତ ପ୍ରଶାସନ ହେତୁ ୨୦୧୮ ମସିହା ତିତିଲି ବାତ୍ୟା ପରବର୍ତ୍ତୀ ସମୟରେ ଭୂସ୍ଖଳନ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୯ ମସିହାରେ ପ୍ରାୟ ୨୦ଟି ଘର ଭୂସ୍ଖଳନରେ ଭାସି ଯାଇଥିଲା।
ରିପୋର୍ଟ ଅନୁସାରେ ଅକ୍ଟୋବର ୨୪, ୨୦୧୯ ମସିହାରେ ପ୍ରବଳ ବନ୍ୟା ଯୋଗୁ ଏଭଳି ପରିସ୍ଥିତିସୃଷ୍ଟି ହୋଇଥିଲା। ସେତେବେଳେ ଗୁମ୍ମା ବ୍ଲକ୍ର କୁଲଙ୍ଗା ଗାଁରେ ଏପରି ବିପଦ ଘଟିଥିଲା। ନିକଟସ୍ଥ ମୁଖଲିଙ୍ଗମ୍ ପାହାଡ଼ ଅତଡ଼ା ଖସିବା ହେତୁ ଗାଁକୁ ପାଣି ଏବଂ ପାହାଡ଼ ତଥା ମାଟି ଖସି ଆସିଥିଲା। ଆଉ ତାରି ପ୍ରଭାବରେ ଲୋକେ ପ୍ରଭାବିତ ହୋଇଥିଲେ।
ଠିକ୍ ସେହିପରି ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା। ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ଉଦ୍ଧାର ଓ ଥିଥାନ କାର୍ଯ୍ୟରେ ଲିପ୍ତ ଥିବା ବେଳେ ପବନ ତାଣ୍ଡବ ରଚିଥିଲା ଗଜପତିରେ। ରାୟଗଡ଼ ବ୍ଲକର ବଡ଼ଘରା ଗାଁରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୨ଜଣଙ୍କ ପ୍ରାଣ ଯାଇଥିଲା।
ଏହି ଭୟ ୨୦୨୧ ମସିହାରେ ମଧ୍ୟ ସୃଷ୍ଟି ହୋଇଛି। ଯେହେତୁ ବାତ୍ୟା ଗୁଲାବ୍ ଦକ୍ଷିଣ ଓଡ଼ିଶା ପ୍ରାନ୍ତ ଦେଇ ଗତି କରିବା ଆଶଙ୍କା ରହିଛି ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହେବେ। ଏପରିକି କନ୍ଧମାଳ ଜିଲ୍ଲରେ ମଧ୍ୟ ଏହାର ଆଂଶିକ ପ୍ରଭାବ ରହିପାରେ। ଏଣୁ ପ୍ରଶାସନ ପକ୍ଷରୁ ପାହାଡ଼ିଆ ଅଞ୍ଚଳରେ ତଥା ବିପଦସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଉଠାଇନେବା ପ୍ରକ୍ରିୟା ଜାରି ରହିଛି।
ପ୍ରାଥମିକତା ଭିତ୍ତିରେ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକ୍ରେ ଭୂ-ସ୍ଖଳନର ଆାଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ, ୭ ଗର୍ଭବତୀଙ୍କ ସହିତ ୬ ଶହ ଜଣଙ୍କୁ ଆାଶ୍ରୟସ୍ଥଳୀକୁ ଅଣାଯାଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିଛି। ଏହି ଜିଲ୍ଲାରେ ୬ଟି ଓଡ୍ରାଫ ୨ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ଅଛନ୍ତି। ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ୭ ଜଣ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏହାସହ ୫୫ଟି ଆଶ୍ରୟସ୍ଥଳୀ କରାଯାଇଛି।
ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍, ଏନ୍ଡିଆର୍ଏଫ୍, ତଟରକ୍ଷୀ ପ୍ରସ୍ତୁତ