ଅମ୍ପନ: ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୪ଘଣ୍ଟା ଲାଗିବ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) : ଏ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଅମ୍ପନ୍ର ଲ୍ୟାଣ୍ଡଫଲ୍ ବା ଭୂପୃଷ୍ଠ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଢ଼େ ଦୁଇଟା ଭାରତୀୟ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେତେବେଳେ ବାତ୍ୟାର ଆଖି ବଙ୍ଗୋପସାଗରରେ ଦୀଘାଠାରୁ ୬୪ କିଲୋମିଟର ଦୂରରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଏହି ବାତ୍ୟାର କେନ୍ଦ୍ରସ୍ଥଳ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରୁଛି। ଆସନ୍ତା ୪ ଘଣ୍ଟା ଭିତରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଝିରେ ସୁନ୍ଦରବନର କୌଣସି ଏକ ସ୍ଥାନରେ ଭୂପୃଷ୍ଠ ଛୁଇଁବା ଆଶଙ୍କା ରହିଛି।
ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ତଥା ବାଲେଶ୍ଵର ଓ ଭଦ୍ରକରେ ଅତି ତୀବ୍ର ବେଗରେ ପବନ ଅନୁଭୂତ ହେବ। ଏହା ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ହେବ ବୋଲି କୁହାଯାଇଛି। ସ୍ଥାନେସ୍ଥାରେ ଏହା ୧୨୫ କିଲୋମିଟର ହୋଇପାରେ।
ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସକାଳ ସାଢ଼େ ୮ଟାରୁ ପ୍ରବଳ ବର୍ଷା ହୋଇଛି। ପାରାଦୀପରେ ଏହା ୮୭.୧ ମିମି ରେକର୍ଡ଼ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୧.୨, ଭୁବନେଶ୍ଵରରେ ୩୩, ବାଲେଶ୍ଵରରେ ୪୮.୪, ପୁରୀରେ ୧୬.୦ ମିମି ବର୍ଷା ରେକର୍ଡ଼ କରାଯାଇଛି।
ପାରାଦିବରେ ସର୍ବାଧିକ ଘଣ୍ଟାପ୍ରତି ୫୯ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଥିବା ବେଳେ ଚାନ୍ଦବାଲିରେ ୪୪ କିଲୋମିଟର, ଭୁବନେଶ୍ଵରରେ ୧୫, ବାଲେଶ୍ଵରରେ ୯୧ କିଲୋମିଟର, ପୁରୀରେ ୧୫, ଗୋପାଳପୁରରେ ୯ କିଲୋମିଟର ବେଗରେ ପବନ ପ୍ରବାହିତ ହୋଇଛି।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ପବନ କମିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ସଂଯୋଗୀକରଣ ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଜୋରରେ ପବନ ବହିବାରୁ ବହୁ ଗଛ, ଇଲେକକ୍ଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିଛି । ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହୋଇଛି l କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ରାସ୍ତା ସଫା କାମ ଆରମ୍ଭ ହୋଇଛି ।
ମୋଟ ୩୬ଟି ଏନଡ଼ିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଜଗତସିଂହପୁର-୫ ଟିମ୍, କେନ୍ଦ୍ରାପଡ଼ା-୬, ଖୋର୍ଦ୍ଧା-୨, ନିୟୋଜିତ ହୋଇଛନ୍ତି । ବାଲେଶ୍ୱରରେ -୧୦ଟିମ୍, ମୟୁରଭଞ୍ଜ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ୨ହଜାର ୯୨୧ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଉଦ୍ଧାର କରି ରଖାଯାଇଛି । ବାଲେଶ୍ୱରରେ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଏସଆରସି କହିଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଏସଆରସି କହିଛନ୍ତି । ୧୮୮୫ ଜଣ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଯାଇଛି ।