ରୁଦ୍ର, ଶତରୂପା, ସୁପ୍ରିୟା, ପ୍ରତିଭା, ଏଲିସାଙ୍କୁ ଲାଡ୍ଲି ମିଡିଆ ସମ୍ମାନ
ଭୁବନେଶ୍ବର, ( ଓଡ଼ିଶାଟାଇମ): ସାମାଜିକ ଲିଙ୍ଗଗତ ସମାନତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବା ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କ ସମେତ ରାଜ୍ୟର 4 ଜଣ ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ ୨୦୨୧ ବର୍ଷ ପାଇଁ ଲାଡଲୀ ମିଡିଆ ସମ୍ମାନ ମିଳିଛି। ସେମାନେ ହେଲେ, ଅର୍ଗସର ପ୍ରତିନିଧି ଶତରୂପା ସାମନ୍ତରାୟ, ନକ୍ଷତ୍ର ଟିଭିର ଉପସ୍ଥାପିକା ସୁପ୍ରିୟା ଦାଶ, ମୁକ୍ତବୃତ୍ତ ସାମ୍ବାଦିକା ପ୍ରତିଭା ଘୋଷ ଏବଂ ଏଲିସା ପଟ୍ଟନାୟକ। ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ତରଫରୁ ପ୍ରତିବର୍ଷ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥାଏ। ପୁରସ୍କାର ବାବଦରେ ସେମାନକୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି ।
ନଭେମ୍ବର ଦୁଇତାରିଖ ଦିନ ହାଇଦ୍ରାବାଦର ମୌଲାନା ଅବୁଲ ଜାତୀୟ ଉର୍ଦ୍ଦୁ ଜାତୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯ ଜାନୁୟାରୀ ୨୦୨୧ରେ ‘ନିତିଦିନ’ରେ ପ୍ରକାଶିତ ତାଙ୍କର ସମ୍ପାଦକୀୟ ଅଗ୍ରଲେଖ ‘ଋତୁସ୍ରାବ ଅଭିଶାପ ନୁହେଁ’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ମୌଲାନା ଆବୁଲ ଜାତୀୟ ଉର୍ଦ୍ୁ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସୟଦ ଆଇନୁଲ ହାସନ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଡେପୁଟୀ କଂଟ୍ରୀ ରିପ୍ରେଜେଂଟଟେଟିଭ୍ ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ ।
ଚଳିତବର୍ଷ ନିଜ ସ୍ଥାପନାର ୧୨ ତମ ବର୍ଷ ପାଳନ କରୁଥିବା ଏହି ପୁରସ୍କାର ପାଇଁ ୧୩ ଟି ଭାଷାରେ ୯୯୫ ଟି ଆବେଦନ ଗ୍ରହଣ ହୋଇଥିବା ବେଳେ ୭୬ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ୩୬ ଜଣଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି ।
ଏଠାରେ ସୂଚନା ଦିଆଯାଇପାରେ କି ରୁଦ୍ରପ୍ରସନ୍ନ ବିଭିନ୍ନ ଆର୍ନ୍ତଜାତୀୟ ଅନୁଷ୍ଠାନ ସହ ପରାମର୍ଶଦାତା ଭାବେ କାମ କରିବାସହ ଓଡିଶାର ବିଭିନ୍ନ ସମ୍ବାଦପତ୍ର ଏବଂ ୱେବ ସାଇଟ୍ ରେ ଜଣେ ସ୍ତମ୍ଭକାରଭାବେ ଆଲେଖ ଲେଖନ୍ତି।