କୁଲଗାମ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ଜମ୍ମୁ, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଫଳରେ ଶ୍ରୀନଗର-ଜମ୍ମୁ ହାଇୱେରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ସୂଚନା ଅନୁଯାୟୀ, କୁଲଗାମ ଜିଲ୍ଲା କାଜିଗୁଣ୍ଡରେ ଜମ୍ମୁ-ଶ୍ରୀନଗର ହାଇୱେରେ ଗୁରୁବାର ଦିନ ଦ୍ଵିପ୍ରହରରେ ଆତଙ୍କବାଦୀମାନେ ବିଏସଏଫ୍ କାରକେଡ୍ ଉପରେ ଗୁଳି ବର୍ଷା କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷାବାହିନୀ ଏହାର କଡ଼ା ଜବା ଦେଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ନିକଟରେ ଥିବା ଏକ ଦୋକାନର ଗୋଦାମ ଘରେ ଲୁଚିଯାଇଥିଲେ ।
ଏହାପରେ ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ପୁଣି ଗୁଳି ଚଳାଇବାରୁ ଯବାନମାନେ ଏହାର ଜବାବମୂଳକ ଫାଇରିଂ କରିଛନ୍ତି । ଏହି ସମୟରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଅପରପକ୍ଷେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କର ଚିକିତ୍ସା ଚାଲିଛି।