ଓଡିଶାରେ ତିଆରି ହେବ ‘କୋଭାକ୍ସିନ୍’, ୫୦୦ କୋଟି ଟଙ୍କା ନିବେଶ କରିବ ‘ଭାରତ ବାୟୋଟେକ୍’
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା । ଟିକା ପ୍ରସ୍ତୁତିକାରୀ କମ୍ପାନି “ଭାରତ ବାୟୋଟେକ୍’ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ଅନ୍ଧାରୁଆଠାରେ ଭାରତ ବାୟୋଟେକ୍ ଉତ୍ପାଦକ ୟୁନିଟ୍ ପାଇଁ କାମ ଆରମ୍ଭ କରିଛି । ରାଜ୍ୟ ସରକାର ଫାର୍ମା ଶିଳ୍ପ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ଭାରତ ବାୟୋଟେକ୍ର ଏହି ନୂଆ ୟୁନିଟ୍ ଆସନ୍ତା ଦେଢ଼ରୁ ୨ ବର୍ଷ ଭିତରେ ଛିଡ଼ା ହେବା ସହ ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି ।
ଗତ ଡିସେମ୍ବର ୧୦ ତାରିଖରେ କମ୍ପାନି ମୁଖ୍ୟ ଡାକ୍ତର କ୍ରିଷ୍ଣା ଇଲ୍ଲାଙ୍କ ପୁତ୍ର ରିଚାସ୍ ଭିରେନ୍ଦ୍ର ଦେବ ଅନ୍ଧାରୁଆଠାରେ ୟୁନିଟ୍ ପାଇଁ ଭୂମିପୂଜା କରି ସାରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ୩୦୦ରୁ ୫୦୦ କୋଟି ଟଙ୍କାର ପୁଞ୍ଜି ଖଟାଇବାକୁ ନିଷ୍ପତ୍ତି ହୋଇଛି । ନିର୍ମାଣ ପରେ କମ୍ପାନୀ ପକ୍ଷରୁ ଓଡ଼ିଶାରେ ହିଁ ବିଭିନ୍ନ ଭୂତାଣୁ ଓ ଜୀବାଣୁ ସଂକ୍ରମଣ ନିରୋଧ ଔଷଧ ସହ ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି ।
କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସ୍ୱଦେଶୀ ଟିକା “କୋଭାକ୍ସିନ୍’କୁ ଅନୁମତି ପ୍ରଦାନ କରିଛନ୍ତି । ଦେଶରେ ଟିକାକରଣ ଆମ୍ଭ ହୋଇସାରିଛି । ଫଳରେ ଏହି ଟିକାକୁ ନେଇ ଭାରତ ବର୍ଷରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଏବେ କୋଭାକ୍ସିନ୍ ଟିକା ଦିଆଯାଉଛି । ଦେଶବାସୀଙ୍କ ଏହି ଉତ୍ସାହ ପଛରେ ଓଡ଼ିଶା ମାଟିର ସବୁଠାରୁ ବଡ଼ ଅବଦାନ କରିଛି । ଦେଶରେ ଯେଉଁ ୧୨ଟି ସ୍ଥାନରେ ଏହି “କୋଭାକ୍ସିନ୍’ ଟିକା ପରୀକ୍ଷଣ ହେଉଥିଲା । ଓଡ଼ିଶାର ସମ୍ ହସ୍ପିଟାଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।
ରାଜ୍ୟବାସୀଙ୍କ ଆବଶ୍ୟକତା ତଥା ଦେଶର ହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କରୋନା ଟିକା ଉତ୍ପାଦନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ । ସେଥିପାଇଁ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଏକ ଅତ୍ୟାଧୁନିକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଆଗେଇ ଆସିଥିଲେ । ଏନେଇ ଗତ ମାସ ନଭେମ୍ବର ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମ୍ପାନୀକୁ ଇନ୍କ୍ୟୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ଇଡ୍କୋ ଚେୟାରମ୍ୟାନ ସଞ୍ଜୟ ସିଂ ଅନ୍ଧାରୁଆଠାରେ ବାୟୋଟେକ୍ ପାର୍କରେ ଗୋଟିଏ ଜମି ଚିହ୍ନଟ କରିଛନ୍ତି ।