ଆଜି କୋଟିଆ ଗସ୍ତ କରିବେ ସର୍ବଦଳୀୟ କମିଟି
ଜୟପୁର, (ଓଡିଶା ଟାଇମ୍): କୋଟିଆକୁ ନେଇ ବଢୁଛି ବିବାଦ । ଜଟିଳ ହେଉଛି ପରିସ୍ଥିତି । ଆଜି କୋଟିଆର ଫାଟୁସେନେରି ଓ ଫଗୁଣ ସେନେରିରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ, ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି । ସାଲୁର ବିଧାୟକଙ୍କ ସମେତ ବିଜୟନଗରମ୍ର ପ୍ରଶାସନିକ ଅଧିକାରୀ ଏଠାରେ ଉପସ୍ଥିତ ରହିବେ ।
ତେବେ କୋଟିଆରେ ଆନ୍ଧ୍ରର ଏପରି ଯୋଜନାକୁ ବିରୋଧ କରିଛନ୍ତି ଓଡିଶାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳ । କୌଣସି ପରିସ୍ଥିତିରେ ଆନ୍ଧ୍ରର ଅଧିକାରୀମାନଙ୍କୁ କୋଟିଆରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । କୋଟିଆରେ ପ୍ରବେଶ କଲେ ରକ୍ତପାତ ହେବ ବୋଲି ପୂର୍ବରୁ ଜୟପୁର ଓ ପଟାଙ୍ଗି ବିଧାୟକ କହିଛନ୍ତି । ତେଣୁ ଆନ୍ଧ୍ରର ଏପରି ଚାଲ୍କୁ କାଉଣ୍ଟର କରିବାକୁ ଆଜି କୋଟିଆ ଗସ୍ତ କରୁଛନ୍ତି ସର୍ବଦଳିୟ କମିଟି । ଉଭୟ ରାଜ୍ୟର ନେତା ଓ ଅଧିକାରୀଙ୍କ ଗସ୍ତ କୋଟିଆ ରାଜନୀତିକୁ ଆହୁରି ସରଗରମ୍ କରିବ ।