ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କଲେ, ଶୁଣାଣିରୁ ଓହରିଲେ
କୋଲକାତା, (ଓଡିଶା ଟାଇମ୍): ଜଜ୍ଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ଅଙ୍ଗୁଳି ଉଠାଇବା ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ମହଙ୍ଗା ପଡିଛି। ହାଇକୋର୍ଟ ଜଜ୍ ଜଷ୍ଟିସ୍ କୌଶିକ ଚନ୍ଦା ମମତାଙ୍କ ନନ୍ଦିଗ୍ରାମ ମାମଲାରୁ ନିଜକୁ ପୃଥକ କରିଛନ୍ତି। ତେବେ ମାମଲାରୁ ନିଜକୁ ପୃଥକ କରିବା ପୂର୍ବରୁ ତାଙ୍କ ବିରୋଧରେ ନିରାଧାର ଅଭିଯୋଗ ଲାଗି ମମତାଙ୍କୁ ୫ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଚନ୍ଦାଙ୍କ ବିରୋଧରେ ଆଗତ ଅଭିଯୋଗ ସାବ୍ୟସ୍ତ ହୋଇ ନପାରିବାରୁ କୋର୍ଟ ତାଙ୍କୁ ୫ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଆଦାୟ ହେଲେ ରାଜ୍ୟର କୋଭିଡ ପୀଡ଼ିତ ପରିବାରଙ୍କ ସହାୟତା ନିମନ୍ତେ ବ୍ୟୟ ହେବ ବୋଲି କୋର୍ଟ କହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦୀତା କରି ପରାଜିତ ହୋଇଥିଲେ। ଏ ନେଇ ମମତା ବାନାର୍ଜୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମାମଲାର ଶୁଣାଣି କରୁଥିବା ଜଜ୍ଙ୍କ ବଦଳି ଲାଗି ଅପିଲ କରିଥିଲେ।
ମମତା ଏ ନେଇ କୋଲକାତା ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ତାଙ୍କ ଆବେଦନର ଶୁଣାଣି ଅନ୍ୟ କୌଣସି ପୀଠକୁ ସ୍ଥାନାନ୍ତର କରିବା ଲାଗି ଅନୁରୋଧ କରିଥିଲେ। ପତ୍ରରେ ମମତା ତାଙ୍କ ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ଜଜ୍ ଜଷ୍ଟିସ୍ କୌଶିକ ଚନ୍ଦା ବିଜେପିର ସକ୍ରିୟ ସଦସ୍ୟ ବୋଲି ଉଲ୍ଲେଖ କରିଥିଲେ। ଏଣୁ ନିର୍ବାଚନ ସମ୍ପର୍କିତ ଆବେଦନ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ହେବା ନେଇ ମମତା ଆଶଙ୍କା ପ୍ରକାଶ କରିଥିଲେ। ମାମଲାକୁ ଭିନ୍ନ କୌଣସି ପୀଠକୁ ସ୍ଥାନାନ୍ତର କରିବା ଲାଗି କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କୁ ମମତା ନିବେଦନ କରିଥିଲେ। ସେହି ଅନୁସାରେ ଜଷ୍ଟିସ୍ କୌଶିକ ଚନ୍ଦା ମାମଲାରୁ ନିଜକୁ ପୃଥକ କରିନେଇଥିବା ବେଳେ ଏହାକୁ ଏବେ କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରାଜେସ ବିନ୍ଦଲଙ୍କୁ ପଠାଯିବ। ତେବେ ମମତାଙ୍କ ଅଭିଯୋଗ ଜବାବରେ ଜଷ୍ଟିସ୍ ଚନ୍ଦା କେବେବି ସେ ବିଜେପିର ବିଧି ପ୍ରକୋଷ୍ଠ ସଂଯୋଜକ ନଥିଲେ କି ନାହାନ୍ତି ବୋଲି କହିଛନ୍ତି। ସେ ଅନେକ ମାମଲାରେ ପାର୍ଟି ପକ୍ଷରୁ କୋଲକାତା ହାଇକୋର୍ଟରେ ମୋକଦ୍ଦମା ଲଢିଛନ୍ତି ସତ ହେଲେ ପାର୍ଟି ସହ ତାଙ୍କର କେବେ କୌଣସି ସମ୍ପର୍କ ନଥିଲା କି ନାହିଁ ବୋଲି କହିଛନ୍ତି।