ଜଗଦିପଙ୍କୁ ପରିଚୟ ଆଣିଦେଇଥିଲା ବଲିଉଡର ଏହିସବୁ ଫିଲ୍ମ
ଭୁବନେଶ୍ୱର: ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ମାତାଙ୍କ ଖୁବ୍ ପସନ୍ଦ ପାଲଟିଥିଲେ ସୟଦ ଇସ୍ତିଆକ୍ ଅହମଦ ଜାଫ୍ରି । ଯିଏକି ଜଗଦିପ ନାମରେ ପରିଚିତ ଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ ରୋଗରୁ ତାଙ୍କର ଦେହାନ୍ତ ହୋଇଛି । ସିନେ ପ୍ରେମୀଙ୍କ ଗହଣରେ ସେ ସୁରମା ଭୋପାଲି ନାମରେ ବେଶ ଜଣାଶୁଣା ଥିଲେ ।
୧୯୩୯ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଗଦିପ ୭୦, ୮୦ ଓ ୯୦ ଦଶକରେ ତାଙ୍କ ଅଭିନୟ ଯାଦୁରେ ସିନେ ପ୍ରେମୀଙ୍କ ମନୋରଞ୍ଜନ କରିପାରିଥିଲେ । ଏପରିକି ନିଜ ଫିଲ୍ମ କ୍ୟାରିୟରରେ ସେ ପ୍ରାୟ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।
ସେ ଏଭଳି ଜଣେ କଳାକାର ଥିଲେ ଯାହାଙ୍କୁ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ମାନିତ କରିଥିଲେ । ଯଦିଓ ଜଗଦିପ ଆମ ଗହଣରେ ନାହାଁନ୍ତି, ତଥାପି ତାଙ୍କର ଏହିସବୁ ଚରିତ୍ର ତାଙ୍କୁ ଲୋକପ୍ରିୟ କରିପାରିଥିଲା ।
ଦୋ ବିଘା ଜମିନ (୧୯୫୩)- (ଲାଲୁ ଉସ୍ତାଦ)
ଲାଲୁ ଉସ୍ତାଦ ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ଜୋତା ପଲିସ କରୁଥିବା ଚରିତ୍ରରେ ନଜର ଆସିଥିଲେ । ଯିଏକି ଖୁବ୍ କମେଡି କରିଥାଏ ।
ଆର ପାର (୧୯୫୪)- (ଇଲାଇଚି)
ଗୁରୁ ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଆର ପାର’ ଫିଲ୍ମରେ ସେ ଇଲାଇଚି ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ଜଗଦିପ ଗୁରୁ ଦତ୍ତଙ୍କ ପାର୍ଟନର ବନିଥିଲେ ।
ହମ୍ ପନଛି ଏକ ଡାଲ କେ (୧୯୫୭)- (ମହମ୍ମୁଦ)
ଏହି ଫିଲ୍ମରେ ସେ ଲିଡ୍ ରୋଲ୍ ରାଜେନ୍ଦ୍ର ମେହେରା ଓରଫ୍ ମାଷ୍ଟର ରୋମୀ ଭାବେ ଅଭିନୟ କରିଥିଲେ । ଏହି ରୋଲ୍ ପାଇଁ ତାଙ୍କୁ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଖୁବ୍ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ ।
ଶୋଲେ- (୧୯୭୫)- (ସୁରମା ଭୋପାଲି)
ରମେଶ ଶିପିଙ୍କ ପ୍ରତିଷ୍ଠିତ ଫିଲ୍ମ ‘ଶୋଲେ’ର ସମସ୍ତ ଚରିତ୍ରକୁ ଆଜିବି ସିନେ ପ୍ରେମୀମାନେ ମନେ ରଖିଥିବେ । ଏହି ଫିଲ୍ମ ପର ଠାରୁ ସେ ସୁରମା ଭୋପାଲି ନାମରେ ପରିଚିତ ହୋଇଥିଲେ । ଶୋଲେ ଫିଲ୍ମରେ ସେ ଜଣେ ଠକ କାଠ ବିକାଳି ଭାବେ ନଜର ଆସିଥିଲେ । ଯିଏକି ସବୁବେଳେ ବଡ ବଡ କଥା ଗପିଥାଏ ଏବଂ ତାକୁ ଶୁଣିବା ପାଇଁ ଲୋକଙ୍କର ଭିଡ ବି ଜମିଥାଏ ।
ସେହିପରି ପୁରାନା ମନ୍ଦିର, ସୁରମା ଭୋପାଲି, ନିଗାହେଁ, ଅନ୍ଦାଜ ଅପନା ଅପନା, ଚାଇନା ଗେଟ୍, ବମ୍ବେ ଟୁ ଗୋଆ ଆଦି ଫିଲ୍ମ ତାକୁ ଏକ ଅନନ୍ୟ ପରିଚୟ ଦେଇଥିଲା ।