ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ମହାମାରୀ ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳକେନ୍ଦ୍ର ପୁରୀରେ ଘୋଷଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ଲାଗି ଭଗବଦ୍‌ ଆଶୀର୍ବାଦ ଓ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଏହି ପରିପ୍ରେକ୍ଷୀରେ  ମଙ୍ଗଳବାର ସନ୍ଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସେ ଭେଟିବା ସହ ତାଙ୍କୁ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ଅବଗତ କରାଇଛନ୍ତି।

ଏହା ପୂର୍ବରୁ ଅନୁଷ୍ଠିତ ଏକ ପ୍ରଶଶସନିକ ବୈଠକରେ ଯୋଗ ଦେଇ ଶ୍ରୀ କୁମାର ଶ୍ରୀମନ୍ଦିର ପରିଚାଳନାରେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ  ଜୁଲାଇ ୫ ତାରିଖ ଯାଏ ସମସ୍ତ ବିଳାସ ଏବଂ ବ୍ୟକ୍ତିଗତ ଆଗ୍ରହକୁ ତ୍ୟାଗ ଦେଇ ଶ୍ରୀ ଜଗନ୍ନାଥଙ୍କ ସେବାରେ ନିୟୋଜିତ ହେବାକୁ ପରାମର୍ଶ ଦେଇଛନ୍ତି।

ବିଶେଷଭାବେ ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ ସେଥିପାଇଁ ସେ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ବାସିନ୍ଦାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଡକ୍ଟର କୁମାର କହିଛନ୍ତି ଯେ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବାବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।

ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।


ରଥ ନିର୍ମାଣ ନେଇ ମିଳିଥିବା ସୂଚନା ଅନୁଯାୟୀ ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠାରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।

ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୧୪ ନାହାକା କାଠରେ ଚାରି କ’ଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବାପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ପୋଟଳ କଣ୍ଟା ପ୍ରସ୍ତୁତ ଚାଲିଛି ।

Leave a Reply

Your email address will not be published. Required fields are marked *