କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର
କୋଝିକୋଡ଼, (ଓଡିଶା ଟାଇମ୍) : କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ ତଳକୁ ଖସି ପଡ଼ିଥିଲା । ପ୍ରବଳ ବର୍ଷା ହେଉଥିବାରୁ ବିମାନଟି ରନୱେରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିବା କୁହାଯାଉଛି ।
କୋଝିକୋଡ଼ ବିମାନବନ୍ଦରଟି ’ଟେବୁଲ୍ ଟପ୍‘ ଭାବରେ ଗଣାଯାଏ । ଅର୍ଥାତ୍ ରନୱେ ଶେଷ ଭାଗ ସମତଳ ଭୂମି ନ ହୋଇ ଖାତ ରହିଥିବାରୁ ଏହାକୁ ଟେବୁଲ ଟପ୍ ବୋଲି କୁହାଯାଏ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବିମାନ ଅବତରଣ ସମୟରେ କୌଣସି ନିଆଁ ଲାଗିନାହିଁ । କେବଳ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଯାତ୍ରୀମାନେ ହତାହତ ହୋଇଛନ୍ତି ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନ ଦୁବାଇରୁ ଆସିଥିଲା ଏବଂ ଏଥିରେ ୧୭୪ ଯାତ୍ରୀ, ୧୦ ନବଜାତ ଶିଶୁ, ୨ ପାଇଲଟ୍ ଓ ୫ ଜଣ କ୍ୟାବିନ୍ କ୍ରୁ ଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।