ବାତ୍ୟା ଆଶ୍ରୟସ୍ଥଳୀରେ କେନ୍ଦ୍ରାପଡ଼ା ଏସ୍ପି, ଧୈର୍ଯ୍ୟ ରଖିବାକୁ ଦେଲେ ପରାମର୍ଶ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମହାବାତ୍ୟା ଅମ୍ପନ୍ ଯେତିକି ଉପକୂଳ ମୁହାଉଁଛି ଛାତିରେ ଝନକା ସେତିକି ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କ ମନେ ପଡ଼ୁଛି ୧୯୯୯ ମହାବାତ୍ୟା, ଯାହା ତାଙ୍କଠୁ ଗୋଟିଏ ପିଢ଼ି ଲୁଟି ନେଇଥିଲା। ଆଜି ଯଦିଓ ଟେକ୍ନୋଲୋଜି ଓ ପୂର୍ବାନୁମାନ ଶକ୍ତି ବଢ଼ିଛି କିନ୍ତୁ ଦୈବୀ ଶକ୍ତି ଆଗରେ କିଏ ବା ମୁକାବିଲା କରିପାରିବ?
ଅନେକ ଆଶଙ୍କା ଭିତରେ ଥିବା କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ଵାସନାର ଖିଅଟିଏ ପହଞ୍ଚାଇବା ଲାଗି ଖୋଦ୍ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଅଣ୍ଟା ଭିଡ଼ିଛନ୍ତି। ସ୍ଥାନୀୟ କିଛି ଅଧିକାରୀଙ୍କ ସହ ଏସ୍ପି ନିତି ଶେଖର ପହଞ୍ଚିଛନ୍ତି ତଳଚୂଆ ଅଞ୍ଚଳରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଠାରେ ଆଶଙ୍କା ଅନେକ ରହିଛି। ଏଣୁ ଲୋକଙ୍କୁ ବୁଝା ସୁଝା କରି ନିରାପଦ ସ୍ଥାନକୁ ଆଣିବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରି ଶ୍ରୀ ଶେଖର ତଳଚୁଆରେ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କୁ ସୌହାର୍ଦ୍ୟର ସହ କିଛି ଶୁଖିଲା ଖାଦ୍ୟ ଭେଟି ଦେଇଛନ୍ତି।
ଛୋଟ ପିଲାଙ୍କ ସହ କିଛି ସମୟ ବିତାଇଛନ୍ତି। ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବା, ସୋଶାଲ୍ ଡିଷ୍ଟାନ୍ସ ବଜାୟ ରଖି କରୋନା ସହ ଲଢ଼ିବାକୁ କହିବା ସହ ଏହି ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ରଖିବାକୁ କହିଛନ୍ତି।
ଆରକ୍ଷୀ ଅଧୀକ୍ଷକଙ୍କ ଏହି ରୂପକୁ ଦେଖି କେନ୍ଦ୍ରାପଡ଼ାର ଲୋକେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ସେମାନଙ୍କ ମୁହଁରେ ଆଶଙ୍କା ଯେତିକି ଘନୀଭୂତ ହୋଇଛି , ମନରେ ଆତ୍ମବଳ ମଧ୍ୟ ସେତିକି ମଜଭୁତ ହୋଇଛି ବୋଲି କହିଛନ୍ତି।