ଆନ୍ଦୋଳନ ସତ୍ୱେ ତୁଳସୀକ୍ଷେତ୍ରରେ ଗଡ଼ିଲାନି ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :କରୋନା ସଂକ୍ରମଣ ଭୟ ଯୋଗୁ ସର୍ବୋଚ୍ଚ ଅଦାଲତ କେବଳ ପୁରୀରେ କଟକଣା ମଧ୍ୟରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁମତି ପ୍ରଦାନ କରିଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିବାରୁ ତୁସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନକରିବାକୁ ଜିଲ୍ଲା ପ୍ରଶାସନ ସେବାୟତ ଓ ମନ୍ଦିର ପରିଚାଳନକା କମିଟି ସହିତ ବୈଠକ କରି ନିଷ୍ପତି ନେଇଥିଲା । ତେଣୁ ତୁଳସୀ କ୍ଷେତ୍ରର ବଡ଼ଦାଣ୍ଡରେ ମଙ୍ଗଳବାର ବେଳଦେବଜୀଉଙ୍କ ରଥ ବ୍ରହ୍ମତାଳଧ୍ୱଜ ରଥ ଗଡ଼ିପାରିନାହିଁ । ପୂର୍ବ ନିଷ୍ପତିକ୍ରମେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ସେବାୟତଙ୍କ ପକ୍ଷରୁ ପ୍ରତୀକ ରଥଯାତ୍ରା କକରାଯାଇଛି ।

ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା କରାଯିବାକୁ ସର୍ବୋଚ୍ଚ ଅଦାଲତ ସୋମବାର ଅପରାହ୍ଣରେ ଅନୁମତି ଦେବା ପରେ ତୁଳସୀକ୍ଷେତ୍ରରେ କଟକଣା ମଧ୍ୟରେ ରଥଯାତ୍ରା କରାଯିବାକୁ ପ୍ରଶାସନ ଅନୁମତି ଦେବାକୁ ଦାବି କରି କିଛି ଲୋକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଧାରଣା ଦେଇଥିଲେ । ଏପରି କି ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀବଳଦେବଜୀଉଙ୍କ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ନୀତୀ ପାଇଁ ଆନ୍ଦୋଳନକାରୀମାନେ ସେବାୟତଙ୍କୁ ଛାଡ଼ି ନଥିଲେ । ଫଳରେ ମଙ୍ଗଳବାର ଶ୍ରୀବଳଦେବଜୀଉଙ୍କ ର ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ନୀତୀ ସମ୍ପନ୍ନ ହୋଇପାରି ନଥିଲା । ଶେଷରେ ବିଳମ୍ବିତ ରାତିରେ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଓ ଆବଶ୍ୟତା ଦୃଷ୍ଟିରୁ ପ୍ରଶାସନ ରଥଯାତ୍ରା ପାଇଁ ଅନୁମତି ଦେଇନଥିଲା ଓ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲା । ଫଳରେ ସେବାୟତମାନେ ମଙ୍ଗଳବାର ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା କରାଯାଇଛି । ମଙ୍ଗଳବାର ସକାଳେ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କର ପାରମ୍ପରିକ ରୀତୀନୀତୀ କରାଯିବା ପରେ ଶ୍ରୀଜୀଉମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା କରାଯାଇଛି । ଶ୍ରୀଜୀଉମାନଙ୍କୁ ମଙ୍ଗଳବାର ସିଂହାସନରୁ ଓହ୍ଲାଯାଇ ଧାଡ଼ି ପହଣ୍ଡିରେ ଅଣାଯାଇ ମନ୍ଦରି ପରିସରସ୍ଥିତ ସ୍ନାନମଣ୍ଡପରେ ବିଜେ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଶେଷ ପରିସ୍ଥିତିରେ ବଡ଼ଦାଣ୍ଡରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଗଡ଼ି ନପାରିଲେ ରାଜପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ରୀତୀନୀତୀ ସମ୍ପନ୍ନ ହୋଇଥାଏ ।

ଚଳିତ ବର୍ଷ କାରୋନା ସଂକ୍ରମଣ ଆଶଙ୍କା ଥିବାରୁ ତୁଳସୀ କ୍ଷେତ୍ରରେ ରଥଯାତ୍ରା ବନ୍ଦ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯିବାରୁ ରାଜପୁରୋହିତ ଗିରୀଧାରୀ ପତିଙ୍କ ପରାମର୍ଶ ଲୋଡ଼ାଯାଇଥିଲା ଓ ସ୍ନାନମଣ୍ଡପକୁ ବ୍ରହ୍ମତାଳଧ୍ୱଜ ରଥ ଭାବେ ଗ୍ରହଣ କରାଯାଇ ଶ୍ରୀଜୀଉମାନଙ୍କୁ ସେଠାରେ ବିଜେ କରାଯାଇ ୩ ଦିନ ରଖାଯିବା ପରେ ବାଟ ଦେଉଳକକୁ ଗୁଣ୍ଡିଚା ମଣ୍ଡପ ଭାବେ ଗ୍ରହଣ କରାଯାଇ ସେଠାରେ ଶ୍ରୀଜୀଉଙ୍କୁ ନେଇ ଅବସ୍ଥାପିତ କରାଯିବା ପରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବାକୁ ପରାମର୍ଶ ଦେଇଥିଲେ । ସେହି ପରାମର୍ଶ ଅନୁସାରେ ମଙ୍ଗଳବାର ଶ୍ରୀଜୀଉମାନଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଛି ଓ ପରମ୍ପରା ଅନୁସାରେ ରାଜପୁରୋହିତ ସ୍ନାନ ମଣ୍ଡପରେ ଛେରାପହଁରା କରିଛନ୍ତି । ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ୩ ଦିନ ରହିବା ପରେ ବାଟ ଦେଉଳକୁ ବିଜେ କରିବେ ଓ ସେଠାରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରହିବା ପରେ ନିଳାଦ୍ରି ବିଜେ କରି ରତ୍ନସିଂହାସନକୁ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଛି । ଗତ ୧୭୨୦ ମସିହାରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଯାତ୍ରାର ଆରମ୍ଭ କରାଯାଇଥିଲା ଓ ସେହି ଦିନରୁ ତୁଳସୀକ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ ରଥଯାତ୍ରା ହୋଇଆସୁଥିଲା । କିନ୍ତୁ କରୋନା ସଂକ୍ରମଣ ସମ୍ଭାବନା କାରଣରୁ ୩ ଶହ ବର୍ଷର ପରମ୍ପରା ଏ ବର୍ଷ ଭାଙ୍ଗିଛି ଓ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିପାରିନାହିଁ । ମଙ୍ଗଳବାର ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା ରୀତୀନୀତୀ ସମ୍ପନ୍ନ ହେଉଥବବା ବେଳେ କେବଳ ସେବାୟତଙ୍କ ବ୍ୟତିତ ଆଉ କାହାରିକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା ।

Leave a Reply

Your email address will not be published. Required fields are marked *