ଆଜି କୃଷକ ନେତାଙ୍କ ସହ କେଜରିୱାଲଙ୍କ ଆଲୋଚନା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଦୀର୍ଘ ୮୭ ଦିନ ଧରି ଆନ୍ଦୋଳନରତ କୃଷକ ସଂଗଠନର ନେତାମାନଙ୍କ ସହ ଆଲୋଚନା କରିବେ। ଦିଲ୍ଲୀ ବିଧାନସଭା ପରିସରରେ ଏକ ଆଲୋଚନା ହେବ। ଏଥିରେ କେଜ୍ରିୱାଲଙ୍କ ସମେତ ଦଳର ଅନ୍ୟ କିଛି ବରିଷ୍ଠ ନେତା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେମାନେ କୃଷି ଆଇନ ଓ ଆନ୍ଦୋଳନର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। କେଜରିୱାଲ କୃଷକଙ୍କ ଆନ୍ଦୋଳନକୁ ମୂଳରୁ ସମର୍ଥନ କରିଆସୁଛନ୍ତି।
ଅପରପକ୍ଷରେ ଦିଲ୍ଲୀ ପୁଲିସ ଜାନୁଆରୀ ୨୬ର ଲାଲ୍ କିଲା ହିଂସା ସହିତ ସମ୍ପୃକ୍ତି ଅଭିଯୋଗରେ ଆଉ ୨୦ଜଣଙ୍କ ଫଟୋ ଜାରି କରିଛି। ଏମାନଙ୍କୁ ଗିରଫ ପାଇଁ ପୁଲିସ ଜୋର୍ଦାର ଉଦ୍ୟମ ଚଳାଇଛି। ପୂର୍ବରୁ ୧୨ ଅଭିଯୁକ୍ତଙ୍କ ଫଟୋ ଜାରି କରାଯିବା ସହ କେତେ ଜଣଙ୍କୁ ଧରିବା ପାଇଁ ଅର୍ଥ ପୁରସ୍କାର ଘୋଷଣା କରିଥିଲା। ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତା ଦୀପ୍ ସିଧୁ ଓ ଅନ୍ୟ କେତେଜଣଙ୍କୁ ଗିରଫ କରାଯାଇଛି। ଏହି ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲୁକ୍ଖା ସିଂହ ସିଧାନାଙ୍କୁ ପୁଲିସ ଖୋଜୁଥିବାବେଳେ ସେ ଶନିବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ଆସନ୍ତା ୨୩ରେ ପଞ୍ଜାବର ଭଟିଣ୍ଡାଠାରେ ସାଧାରଣତନ୍ତ୍ର ଦିବସ ଭଳି ଆଉ ଏକ ପ୍ରଦର୍ଶନ କରିବେ ବୋଲି ପୁଲିସକୁ ଖୋଲା ଆହ୍ବାନ ଦେଇଛନ୍ତି। ଏଥିରେ ସେ ରାଜ୍ୟର ଯୁବ ସମ୍ପ୍ରଦାୟଙ୍କୁ ସାମିଲ ହେବା ପାଇଁ ଆହ୍ବାନ ଜଣାଇଛନ୍ତି। ଫେରାର ଥିବା ସିଧାନାଙ୍କ ସମ୍ପର୍କରେ ସୂଚନା ପାଇଁ ପୁଲିସ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି; ତେବେ ପ୍ରସାରିତ ଭିଡିଓରେ ସେ ଏକ ଶିବିରରେ ବସିଥିବା ଦେଖାଯାଉଛି।