ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ନୀତି, ପୀଠରେ ୧୪୪ ଧାରା ଜାରି
ଭଦ୍ରକ, (ଓଡିଶା ଟାଇମ୍): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭଡ_19 ଭୟାବୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ । ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ ।
ଅନ୍ୟପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ଭୋର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯିବ । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୀଠରେ ଥିବା ମୁଆଁ, ତିନିତର, ଧାନଖଣିଆ ଘାଟରେ ଡଙ୍ଗା ଚଳାଚଳ ବନ୍ଦ କରିଛି ପ୍ରଶାସନ । ସେହିପରି ଭକ୍ତଙ୍କ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରାଯିବା ସହ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ନଦୀଘାଟ, ଶାସ୍ତ୍ରୀଘାଟରେ କଟକଣା ଜାରି କରାଯାଇଛି । ପୀଠରେ ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବାବାଙ୍କ ମନ୍ଦିର।











