ପଦ୍ମଶ୍ରୀ ଫେରାଇବାକୁ କାହିଁକି କହିଲେ ଅଭିନେତ୍ରୀ କଙ୍ଗନା, ପଢନ୍ତୁ
ମୁମ୍ବାଇ, (ଓଡିଶା ଟାଇମ୍): ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ ଅଭିନେତ୍ରୀ କଙ୍ଗନା ରାଣାୱତ । ସେ କହିଥିଲେ ଯେ ବଲିଉଡର ନେପୋଟିଜମ ପାଇଁ ସୁଶାନ୍ତ ଏଭଳି ଷ୍ଟେପ୍ ଉଠାଇବାକୁ ବାଧ୍ୟ ହୋଇଛନ୍ତି ।
ନିଜ କଥା ପାଇଁ ସବୁବେଳେ ବିବାଦରେ ରହୁଥିବା କଙ୍ଗନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏକ ନ୍ୟୁଜ୍ ଚ୍ୟାନେଲ୍ ସହ କଥାବାର୍ତ୍ତା ସମୟରେ କଙ୍ଗନା କହିଛନ୍ତି ଯେ ଯଦି ମୁଁ ମୋ ଅଭିଯୋଗକୁ ପ୍ରମାଣିତ ନ କରିପାରେ ତାହେଲେ ମୁଁ ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବି ।
ସେ ପୁଣି କହିଥିଲେ ଯେ- ମୁମ୍ବାଇ ପୋଲିସ ମୋତେ ଡକାଇଥିଲେ । ମୁଁ ମନାଲିରେ ଥିବାରୁ ସେମାନଙ୍କୁ କହିଥିଲି ଯେ କ’ଣ ଆପଣ ଏଠାକୁ କାହାକୁ ପଠାଇପାରିବେ, ଯିଏକି ମୋ ବୟାନ ରେକର୍ଡ କରିପାରିବ । ହେଲେ କିଛି ଉତ୍ତର ମିଳିନଥିଲା । ମୁଁ ଆପଣଙ୍କୁ କହୁଛି, ଯଦି ମୁଁ ଏମିତି କିଛି କଥା କହି ଦେଇଛି ଯାହାର ପ୍ରମାଣ ମୋ ପାଖରେ ନାହିଁ ତାହେଲେ ମୁଁ ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବି । ମୁଁ ତାହାର ହକଦାର ହେବି ନାହିଁ । ମୁଁ ଆଜି ଯାଏଁ ଯାହା ବି କହିଛି ଲୋକଙ୍କ ହିତ ପାଇଁ କେବଳ ।
ପୂର୍ବରୁ କଙ୍ଗନା ସୁଶାନ୍ତଙ୍କ ମୃତ୍ୟୁରେ ଏକ ଭିଡିଓ ଜାରି କରି କହିଥିଲେ ଯେ ସୁଶାନ୍ତ କେବେ ଆତ୍ମହତ୍ୟା କରିପାରିବେ ନାହିଁ । ସେ ନିହାତି କାହାର ଚାପରେ ପଡି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ବୋଲି ।
ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଛି ନିକଟ ଅତୀତରେ । ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।