ଝାରସୁଗୁଡ଼ାରେ ସାପ୍ତାହିକ ସଟଡାଉନ୍ କଟକଣା ବୃଦ୍ଧି
ଝାରସୁଗୁଡ଼ା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି।ଝାରସୁଗୁଡା ଜିଲ୍ଲାରେ ଲାଗୁ ହୋଇଥିବା ସପ୍ତାହରେ ୨ ଦିନିଆ ସଟଡାଉନ୍ କଟକଣା ଅବଧି ବୃଦ୍ଧି ହୋଇଛି।ଅଗଷ୍ଟ ୩୧ ଯାଏଁ ସପ୍ତାହରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ବଢ଼ାଇ ଦିଆଯାଇଛି । ଜିଲ୍ଳାପାଳ ସରୋଜ କୁମାର ସାମଲ ଏ ସଂପର୍କରେ ସୂଚନା ଦେଇଛନ୍ତି।
ଗତ ରାତିରେ ଜିଲ୍ଲାପାଳ ଜାରି କରିଥିବା ଆଦେଶ ଅନୁସାରେ ଜିଲ୍ଲାରେ ଲାଗୁ ରହିଥିବା ଶନିବାର-ରବିବାର ସପ୍ତାହିକ ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ଚଳିତ ମାସ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ପାଇଁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଅଗଷ୍ଟ ୧୫ ତାରିଖରେ ଶନିବାର ପଡ଼ୁଥିବାରୁ ସପ୍ତାହିକ କଟକଣା ଯୋଗୁଁ ଉତ୍ସବ ପାଳନରେ ବାଧା ସୃଷ୍ଟି ହୋଇପାରେ। ଏଣୁ ସମସ୍ତ ପ୍ରକାରର ସାବଧାନତା ପାଳନ ସହ କଟକଣାରେ ରହି ସ୍ୱାଧୀନତା ଦିବସ ସମାରୋହ ପାଳନ କରିବାକୁ କୁହାଯାଇଛି ।
ସେହିଦିନ ପାଇଁ ସକାଳ ୭ରୁ ଦିନ ୧୧ ଟା ଯାଏଁ କଟକଣା କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ନିଜନିଜ ପ୍ରତିଷ୍ଠାନ ବିଭିନ୍ନ ସଂସ୍ଥାକୁ ଯାଉଥିବା ଲୋକମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଏଥିରେ ଯୋଗ ଦେବାପାଇଁ କଟକଣାକୁ କୋହଳ କରାଯାଇଛି । ସେହିପରି ଚଳିତ ମାସ ୨୨ ତାରିଖରେ ଗଣେଶ ପୂଜା ଓ ୨୩ ତାରିଖରେ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ଦୁଇ ଦିନ ମଧ୍ୟ ସପ୍ତାହିକ ସଟଡାଉନରେ ପଡୁଥିବାରୁ ଏହାକୁ କୋହଳ କରାଯାଇଛି ।