୨୬ରେ ପୁଣି ଭାରତ ବନ୍ଦ, ଡାକରା ଦେଲା ବ୍ୟବସାୟୀ ସଂଘ
ଝାରସୁଗୁଡ଼ା, (ଓଡିଶା ଟାଇମ୍) :କେନ୍ଦ୍ରୀୟ ଟ୍ୟାକ୍ସ ଜିଏସ୍ଟିକୁ ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି ଝାରସୁଗୁଡ଼ା ବ୍ୟବସାୟୀ ମହାସଂଘ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଡାକରାକୁ ସଫଳ କରିବାକୁ ଝାରସୁଗୁଡାରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସବୁ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନକୁ ଆହ୍ୱାନ ଦେଇଛନ୍ତି ଚାମ୍ବର ଅଫ୍ କମର୍ସ ।
କେନ୍ଦ୍ର ସରକାର ୨୦୧୭ ମସିହାରେ ଏକ ଦେଶ ଏକ ଟ୍ୟାକ୍ସ ନାଁରେ ଜିଏସ୍ଟିର ଲାଗୁକରିଥିଲେ । ସରକାର ଆଣିଥିବା ଜିଏସଟିରେ ତ୍ରୁଟି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୯୩୭ ଥର ଆଇନରେ ସଂଶୋଧନ ହୋଇ ସାରିଥିବା ବେଳେ ପୁଣି ଏକ କଠୋର ଆଇନ ଆଣିବାକୁ ଯାଉଛନ୍ତି । ଏଥିସହିତ ସରକାର ବ୍ୟବସାୟୀଙ୍କୁ ରସାତଳକୁ ଠେଲିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ବ୍ୟବସାୟୀ ମହାସଂଘ ଭାରତ ବନ୍ଦ ଡାକରା ଦେଇଛି ।
ଆସନ୍ତା ୨୬ ତାରିଖରେ ଝାରସୁଗୁଡା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ କଂଗ୍ରେସ ଓ ବିଜେଡି ସମର୍ଥନ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସମ୍ପୃକ୍ତ ଦଳର ନେତା ମାନେ ଘୋଷଣା କରିଥିଲେ । ଜିଏସଟି ଆଇନର ସରଳୀକରଣ ନଚେତ ସଂପୁର୍ଣ୍ଣ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।