ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱରରେ ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଆଜି ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଧନେଶ୍ୱରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଅଭୟ ଅଭୟ । ଏନେଇ ଖୋଦ୍ ଡିଜିପି ଟ୍ବିଟ୍ କରି ନିଲମ୍ବନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କାଲି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ ।

ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ ଏବଂ  ଭାଇରାଲ ଅଡିଓରେ ନିଶା ବେପାରୀ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଜଣେ ଓକିଲ ।

ଅଭିଯୋଗ ଅନୁସାରେ ଫୋନର ଗୋଟିଏ ପଟେ ଅଛନ୍ତି  ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ ।  ଡ୍ରଗ୍ସ ମାଫିଆଜଣକ ବ୍ରାଉନସୁଗାର କାରବାର କରି ଧରାପଡ଼ିବା ପରେ  ଏବେ  ଜାମିନରେ ଅଛି। କିନ୍ତୁ ତାର ଜବତ ଗାଡ଼ି  ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ଉକ୍ତ ଗାଡ଼ିକୁ  ଛଡ଼ାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଥିବା ସ୍ପଷ୍ଟ ଶୁଣାଯାଉଛି।

Leave a Reply

Your email address will not be published.