ଜଳଦ କୁମାର ତ୍ରିପାଠୀ ହଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ସୁପାରିସିକୁ ସ୍ଵିକୃତୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରିପାଠୀ। ତିନିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ଭାବେ ରାଜ୍ୟ ସରକାର ରାଜ୍ୟପାଳଙ୍କୁ ସୁପାରିସି କରିଥିଲେ। ଆଜି ଏହି ସୁପାରିସି ଉପରେ ମୋହର ବାଜିଛି। ଏହାପରେ ଶ୍ରୀ ତ୍ରିପାଠୀ ରାଜ୍ୟପାଳଙ୍କ ଦ୍ଵାରା ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।

୨୦୦୫ ସୂଚନା ଅଧିକାର ଆଇନ ଅନୁସାରେ ଗଠିତ ଓଡ଼ିଶା ସୂଚନା ଅଧିକାର କମିଶନରେ ମୁଖ୍ୟ ସୂଚନା କମିଶନ ପଦବୀ ଗତମାସ ୧୫ ତାରିଖରୁ ଖାଲି ପଡ଼ିଥିଲା। ଏହି ପଦବୀରେ ଅଧିଷ୍ଠିତ ଥିବା ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ଯୋଗୁ ରାଜ୍ୟ ସରକାର ପ୍ରାର୍ଥୀଙ୍କ ଆଗ୍ରହ ଆବେଦନ କରିଥିଲେ। ଗଲା ୨୧ ତାରିଖରେ ଏନେଇ ଆବଶ୍ୟକ ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା।

ଜଳଦ ତ୍ରିପାଠୀ ଜଣେ ଓଡ଼ିଆ ପୁଅ ହୋଇଥିଲେ ମଧ୍ୟ ଓଡ଼ିଶା ପ୍ରଶାସନିକ କରିଡରରେ ତାଙ୍କ ନାଁ ଶୁଣିବାକୁ ମିଳି ନଥିଲା। ଆସନ୍ତୁ ନଜର ପକାଇବା ତାଙ୍କ ସମ୍ପର୍କରେ କିଛି ତଥ୍ୟ।

ଶ୍ରୀ ତ୍ରିପାଠୀ ଜଣେ ତାମିଲ୍‌ନାଡ଼ୁ କ୍ୟାଡର ଆଇପିଏସ୍‌ ଅଧିକାରୀ। ୧୯୮୫ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ ଗତ ଜୁନ୍‌ ୩୦ ତାରିଖରେ ତାମିଲ୍‌ନାଡ଼ୁର ସର୍ବୋଚ୍ଚ ପୁଲିସ ଅଧିକାରୀ ତଥା ଡିଜି ପୁଲିସ ପଦବୀରୁ ଅବସର ନେଇଛନ୍ତି। ଏହ ପୂର୍ବରୁ ସେ ଚେନ୍ନାଇ ଓ ତିରଚିର ପୁଲିସ କମିଶନର ଭାବେ ମଧ୍ୟ କାମ କରିଛନ୍ତି। ଜେଲ୍‌ ଡିଜି ଭାବେ କାର୍ଯ୍ୟକରି ମଧ୍‌ୟ ଯଥେଷ୍ଟ ସଫଳତା ସାଉଟିଛନ୍ତି।  ପ୍ରତିଟି କ୍ଷେତ୍ରରେ ସେ ସଂସ୍କାର ଆଣି ଜନତା ଓ ପୁଲିସ ଭିତରେ ଥିବା ଦୂରତାକୁ କମାଇବା ଲାଗି ଉଦ୍ୟମ କରିଥିଲେ। ଆଉ ସେହି ଉଦ୍ୟମକୁ ରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ମଧ୍ୟ କରାଯାଇଥିଲା।

ସେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ଵାରା ଅତୀତରେ ସମ୍ମାନୀତ ହୋଇଛନ୍ତି। ତାଙ୍କୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ କମ୍ୟୁନିଟି ପୁଲିସିଂ ପାଇଁ ସମ୍ମାନିତ କରାଯାଇଛି।

ଅବସର ନେବାରକିଛିଦିନ ପୂର୍ବରୁ ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ପଦବୀ ଲାଗି ଆବେଦନ କରିଥିଲେ।

କଟକର ଭେଡ଼ା ଗାଁରେ ଜଳଦଙ୍କ ଜନ୍ମ।  ତାମିଲ୍‌ନାଡ଼ୁରେ ଚାକିରି ସମୟରେ ସେ ନିଜର ସଚ୍ଚୋଟପଣିଆ ଓ ଦକ୍ଷତା ଲାଗି କଟକର ନାଁକୁ ଅଧିକ ଉଜ୍ଜଳ କରିବାରେ ସକ୍ଷମ ହୋଇଛନ୍ତି।

ଏବେ ସୂଚନା କମିଶନକୁ ଅଧିକ ଲୋକାଭିମୁଖୀ କରିବା ଏବଂ ତ୍ଵରିତ ଫଇସଲା ପାଇଁ ଶ୍ରୀ ତ୍ରୀପିଠୀ କି ଭୂମିକା ନେଉଛନ୍ତି ତାହାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *