ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
ରାଜକୋଟ, (ଓଡିଶା ଟାଇମ୍): ମଝି ସମୁଦ୍ରରେ ଦୁର୍ଘଟଣା । ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଗତକାଲି ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ବିପରୀତ ଦିଗରେ ଆସୁଥିବା ମାର୍ଶଲ ଦ୍ୱୀପର ଏମ୍ଭି ଆଭିଏଟର ଏବଂ ହଂକଂର ଏମ୍ଭି ଆଟଲାଣ୍ଟିକ ଗ୍ରେସ୍ ମଧ୍ୟରେ ଏହି ଧକ୍କା ଲାଗିଛି ।
ଏମ୍ଭି ଆଟଲାଣ୍ଟିକ ଗ୍ରେସ୍ରେ ତୈଳ ଓ ରାସାୟନିକ କଣ୍ଟେନର ରହିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଖା ଓ ମୁନ୍ଦ୍ରାରୁ ଦୁଇଟି ତଟରକ୍ଷୀ ବାହିନୀର ଜାହାଜ ଘଟଣାସ୍ଥଳରେ ପହଞ୍ଚିଛି । ସେହିଭଳି ତଟରକ୍ଷୀ ବାହିନୀର ଏକ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ମଧ୍ୟ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଜାହାଜରୁ ତୈଳ ଲିକ୍ ହୋଇଛି କି ନାହିଁ ତାହା ଯାଞ୍ଚ କରୁଛି । କଚ୍ଛ ଉପସାଗରୀୟ ଅଞ୍ଚଳରେ ଭିଟିଏସ୍ (ଭେସେଲ ଟ୍ରାଫିକ ସର୍ଭିସ) ଥିବା ସତ୍ତେ୍ୱ କିଭଳି ଦୁଇ ଜାହାଜ ମଧ୍ୟରେ ଏହି ଧକ୍କା ଲାଗିଲା ତାର ତଦନ୍ତ ଆରମ୍ଭ କରାଯାଉଛି ବୋଲି ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ।