ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାପାଳ, ଜଗତସିଂହପୁର ଖାଲି

ଭୁବନେଶ୍ବର, (ଓଡିଶା ଟାଇମ୍) : ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ଝଟକା ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରିଥିଲେ ମଧ୍ୟ ଜଗତସିଂହପୁରକୁ ନୂଆ ଜିଲ୍ଲାପାଳ ଦେବାକୁ ଭୁଲିଯାଇଛନ୍ତି । ନିର୍ବାଚନ ପୂର୍ବରୁ ରାତି ଅଧିଆ ଏଠାରେ ଜିଲ୍ଲାପାଳଙ୍କୁ ବଦଳ କରାଯାଇଥିଲା ।

ଜଗତସିଂହପୁର ସମେତ ସରକାର ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରିଛନ୍ତି । ପୁରୀର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୦୭ ବ୍ୟାଚ ଆଇଏଏସ ଅଧିକାରୀ ବଲୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ଓଏମଇସିଏଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୧୧ ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସୀ (ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

ଏହି ଗୁରୁତ୍ବପୂଣ୍ଣ ଆଦେଶରେ ବର୍ତ୍ତମାନ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରୁଥିବା ୨୦୦୫ ବ୍ୟାଚ୍ ଆଇଏଏସ ଅଧିକାରୀ ଭିନେଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଜୀ ରଘୁଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ସିଏମଜିଆଇ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମହମ୍ମଦ ସଦିକ ଆଲାମଙ୍କୁ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ସ୍ୱତନ୍ତ୍ର ଏଡ଼ିଏମ ଭାବେ କାର୍ଯ୍ୟ କରୁଥିବା ଆଇଏସ ଅଧିକରୀ ବିଶାଲ ସିଂଙ୍କୁ ଯାଜପୁରର ପିଡି-ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published.