କାଳିଆ କପଟିଆ ନା କପଟରେ କାଳିଆ!

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ… । ୧୭ଶ’ ଶତାବ୍ଦୀର ପ୍ରାରମ୍ଭରେ ଜଗନ୍ନାଥପ୍ରେମୀ ମହାନ ମୁସଲମାନ ସନ୍ଥ ଭକ୍ତ ସାଲ ବେଗଙ୍କ ଭାବାବେଗରେ ରଚିତ ଏହି ଭଜନ  ଆଜି ଏକ ଭିନ୍ନ ଇଙ୍ଗିତ ଦେଉଛି । ସେତେବେଳେ ଶ୍ରୀଜଗନ୍ନାଥଙ୍କ ସାଧାରଣ ରୀତି ନୀତିକୁ ମଧ୍ୟ ପାଳନ କରିବାର କଠିନତା ଦେଶୀୟ ରାଜ ପ୍ରଶାସନ ପାଇଁ ଏକ ଆହ୍ୱାନ ଥିଲା । ବାରମ୍ବାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚାପ ବିଜେ କରାଯାଇ ଅଜ୍ଞାତବାସ କରିବାକୁ ପଡ଼ୁଥିଲା । କେତେବେଳେ ବର୍ଷକୁ ବର୍ଷ ତ ଆଉ କେତେବେଳେ ୧୫ ବର୍ଷ ପାଇଁ ଏକକାଳୀନ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରୁ ବାହାର ହୋଇଥିଲେ । ଶେଷଥର ଲାଗି ଚତୁର୍ଦ୍ଧା ମୂର୍ତ୍ତି ଏବେକାର  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ମାରଦାଠାରେ  ୨୮ ମାସ ଲାଗି ଅବସ୍ଥାନ କରିଥିଲେ । ସେଠାରୁ ଫେରିବା ପରେ ମହାପ୍ରଭୁଙ୍କୁ କେବେ ଭକ୍ତଙ୍କଠାରୁ ଅଲଗା ରଖାଯାଇ ନାହିଁ । ହେଲେ ଆଜି ଏକ ଅଦୃଶ୍ୟ ଭୁତାଣୁର କପଟ ଓ କୂଟନୀତି ଭିତ୍ତିକ ଅଳନ୍ଧୁ ଭିତରେ ଶ୍ରୀଜଗନ୍ନାଥଙ୍କୁ ପୁଣିଥରେ ଭକ୍ତଙ୍କ ନଜରରୁ ଉଭାନ କରାଯାଇଛି । ଏ କପଟ କାଳିଆର ନା କାଳିଆକୁ ନେଇ ଏକ ସୁଚିନ୍ତିତ ରଚନା ।

ଶାସନରେ ଅର୍ଥନୀତି ଓ ରାଜନୀତିକ ସଙ୍କଟକୁ ଏଡ଼ାଇବା ଲାଗି ଚତୁର ମରାଠା ଶାସକମାନେ ୧୭୩୬ ମସିହା ଏପ୍ରିଲ୍‍ରେ ମାରଦାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀମନ୍ଦିର ଫେରାଇ ଆଣିଥିଲେ । ଏହାପରେ ବର୍ଷେ ନୁହେଁ କି ୧୦୦ ବର୍ଷ, ଦୀର୍ଘ  ଦୁଇ ଶତାବ୍ଦୀ ହେଲା ଯେଉଁ ଶାସକମାନେ ଓଡ଼ିଶା ଶାସନର ଡୋରି  ଧରିଛନ୍ତି, କେବେ ବି ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଅଥବା ଓଡ଼ିଶାବାସୀଙ୍କ ଧର୍ମୀୟ ଭାବନାରେ ପାଦ ଦେବାକୁ ଚାହିଁ ନାହାନ୍ତି । ଆଉ କେବେ ଯଦିବି କେହି ଏଥିଲାଗି ଚିନ୍ତା କରିଛନ୍ତି ତାହା ତାଙ୍କ ପାଇଁ ବିପଦର କାରଣ ହୋଇଛି । ବ୍ରିଟିଶ୍‍ ସମୟ କଥା କହନ୍ତୁ କି ଗଣତନ୍ତ୍ରିକ ଓଡ଼ିଶାର ରାଜନୀତି, ଏ ଭିତରେ ସମୟର ପ୍ରତିଟି କଣିକା ସାକ୍ଷୀ ହୋଇ ରହିଛନ୍ତି ।

ଆଜି କିନ୍ତୁ ଏକ ଭିନ୍ନ ପରିବେଶ; ପୁରୀ ସହରରେ ବଢ଼େଇ, କମାର, ଚିତ୍ରଶିଳ୍ପୀଠାରୁ ଆରମ୍ଭ କରି ଲୋକନୀତି ସହ ସମ୍ପର୍କ ରଖିଥିବା ପ୍ରତିଟି ବ୍ୟକ୍ତି ଅସନ୍ତୁଷ୍ଟ । କୌଣସି କ୍ଷମତା ନଥିବା ଆଳଙ୍କରିକ ରାଜାଙ୍କୁ କିଛି ଲୋକ ଷଡ଼ଯନ୍ତ୍ରକାରୀଭାବେ ଆଶଙ୍କା କରିଛନ୍ତି । ଭୁବନେଶ୍ୱରରୁ ଶାସନ କରୁଥିବା ଶାସକଙ୍କୁ ପ୍ରଚ୍ଛଦପଟ୍ଟ ନାୟକ ଭାବେ ଇଙ୍ଗିତ କରୁଛନ୍ତି । ତୁଣ୍ଡଠାରୁ ଦାଣ୍ଡ ସବୁଠି ଏନେଇ ଆଲୋଚନା, ସମାଲୋଚନା ଜାରି ରହିଛି । ଭୁତାଣୁର ଆତଙ୍କ ଥିଲେ ମଧ୍ୟ ଶହ ଶହ ଲୋକ ଆଜି ଶୋଭାଯାତ୍ରାରେ ପ୍ରତିବାଦ ପାଇଁ ବାହାରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ବିଗତ ୨୮୪ ବର୍ଷ ଭିତରେ ଅନେକଥର ମହାମାରୀ ହୋଇଛି । ଦୁର୍ଭିକ୍ଷର କଷଣ ପୁରୀ ଦେଖିଛି । ସେବା ନାଁ ନେଇ ଏଇଠି ଧର୍ମୀୟ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ଆଉ ଏହା ଏଯାଏ ବଳବତ୍ତର ବି ରହିଛି । ତଥାପି କେବେ ପୁରୀ ପରମ୍ପରାକୁ ବଳୀ ଦେଇ ନାହିଁ । ଆଜି ପ୍ରଥମଥର ପାଇଁ ରଥ, ପଥ ଓ ଜଗନ୍ନାଥ ପ୍ରସ୍ତୁତ ହୋଇଥିଲେ ବି ଏକ ଅଦୃଶ୍ୟ ଭୁତାଣୁ ପଥରୋଧ କରିଛି ଆମକୁ । ତୁଣ୍ଡରୁ ଦାଣ୍ଡ ଯାହା ଆଲୋଚନା ହେଉଛି, ସେଗୁଡ଼ିକୁ ଏଠି ବୟାନ କରୁଛୁ ।

ଗଜପତି ଜାଣିଥିଲେ!

ଯେଉଁପରି ଭାବେ ‘ପୁରୀ ଆଶା’କୁ ସୁପ୍ରିମ୍‍କୋର୍ଟରେ ମାରି ଦିଆଗଲା ତାହା ଏକ ଯୋଜନାବଦ୍ଧ କାର୍ଯ୍ୟକଳାପ ବୋଲି ଅଭିଯୋଗ ହେଉଛି । ଏହି ଯୋଜନାବଦ୍ଧ କାର୍ଯ୍ୟ ବାବଦରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଶ୍ରୀଜଗନ୍ନାଥ ମନ୍ଦିରରର ଆଦ୍ୟ ସେବକ ଦିବ୍ୟସିଂହ ଦେବ ଭଲ ଭାବେ ଜାଣିଥିଲେ । ପୂର୍ବ ଘଟଣାବଳୀକୁ ଏହାର ଯୁକ୍ତି ଭାବେ ଉପସ୍ଥାପନ କରାଯାଉଛି ।  ଯଦିଓ ରଥଯାତ୍ରା ପାଇଁ ରଥ ନିର୍ମାଣ ବାବଦରେ  ସରକାରଙ୍କୁ ଅନୁମତି ମଗାଯାଇଛି ବୋଲି ଗଜପତି ମହାରାଜା ଗଣମାଧ୍ୟମକୁ ବେଶ୍‍ ଶାଳୀନତା ଓ ଭାବାବେଗରେ ପ୍ରକାଶ କରିଥିଲେ କିନ୍ତୁ ଏହା ଯେ ଆଗକୁ ହେବ ନାହିଁ ସେଥିଲାଗି ତାଙ୍କ ଉପରେ କିଛି ଅଦୃଶ୍ୟ ଚାପକୁ ସେ ଅନୁଭବ କରିଥିଲେ ବୋଲି ଆଲୋଚନା ହେଉଛି ।  ସେଥିଲାଗି ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ପରେ ଯେଉଁ ପ୍ରଥାଭିତ୍ତିକ ଗୁଆଲି ପର୍ବ ହୁଏ ତାହାକୁ ଶ୍ରୀମନ୍ଦିରରେ ସୀମିତ ରଖିବାକୁ ଗଜପତି ପରାମର୍ଶ ଦେଇଥିଲେ । ଏହିଦିନ ମହାଲକ୍ଷ୍ମୀ – ନାରାୟଣଙ୍କ ଚଳନ୍ତି ପ୍ରତିମା ରାଜା ନଅର ଯାଏ ଆସି ସେଠାରେ ଗଜପତିଙ୍କ ଦ୍ୱାରା ବନ୍ଦାପନା ହୋଇଥାଆନ୍ତି । ଏ କାଳରେ ଅଧିକ ଲୋକଙ୍କ ସମାଗମ ହେବା ଆବଶ୍ୟକ ହୋଇ ନଥାଏ । ପୁଣି ଖୁବ୍‍ କମ୍‍ ସମୟ ଲାଗି ଗଜପତିଙ୍କୁ ଏହି ସମୟରେ ଉପସ୍ଥିତ ହେବାକୁ ହୋଇଥାଏ । ଅପରପକ୍ଷେ ଶ୍ରୀଜିଉଙ୍କ ସେବା କାଳରେ ମୁହଁକୁ ଆବଦ୍ଧ କରିବାର ପରମ୍ପରାକୁ ଏହି ସେବାରେ ନଥିଲେ ମଧ୍ୟ ଜଗନ୍ନାଥଙ୍କ ଅନେକ ସେବାରେ ପୂର୍ବରୁ ପ୍ରଚଳିତ । ଏଣୁ କରୋନା ଲକ୍‍ଡାଉନ୍‍ ଆଦେଶନାମାକୁ ପାଳନ କରି ଏହି ନୀତି ପାଳନ କରାଯିବାରେ ପ୍ରତିବନ୍ଧକ ନଥିଲା । ପୁଣି ଏହି ଦିନ ରଜାଙ୍କ ଘରେ ଅନ୍ୟ ସମ୍ଭ୍ରାନ୍ତ ଅତିଥିଙ୍କ ସମାଗମ ହେବାର ପରମ୍ପରା ଥିଲେ ମଧ୍ୟ ତାହା ହୋଇ ନଥିଲା, ତଥାପି  ଗଜପତି ତାହାକୁ ବାରଣ କରିବାରୁ ଆଶଙ୍କା ଜମିଥିଲା   ।

ଦିତୀୟ, ସ୍ନାନଯାତ୍ରା ସମୟରେ ଗଜପତି ମହାରାଜାଙ୍କ ସ୍ଥାନରେ ମୁଦିରସ୍ତ ସେବାୟତଙ୍କ ଛେରା ପହଁରା ସେବକଙ୍କ ଉତ୍ସାହରେ ପାଣି ଫିଙ୍ଗିଥିଲା । ଯେଉଁଠି ରଥଯାତ୍ରାକୁ ପାଳନ କରିବା ପାଇଁ ପୂଜାପଣ୍ଡା-ସୁଆରଙ୍କଠୁ ଆରମ୍ଭ କରି ଦଇତାପତିଙ୍କ ଯାଏ ସବୁ ସରକାରୀ କଟକଣାକୁ ପାଳନ କରି ଶୃଙ୍ଖଳିତ ଭାବେ ଆଗକୁ ବଢ଼ୁଥିଲେ ସେଥିରେ ଗଜପତିଙ୍କ ଯୋଗଦାନ ଦ୍ୱାରା ଲୋକଙ୍କ ମନରେ ଆସ୍ଥା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା । ହେଲେ ଗଜପତି ମହାରାଜା ଏହାକୁ ଅନୁଚିତ ମନେ କରିଲେ । ବୟସକୁ ପ୍ରତିବନ୍ଧକର କାରଣ ବୋଲି ଦର୍ଶାଇଲେ । ଯାହାବି ଲୋକେ ମାନିଲେ । ହେଲେ ଶଙ୍କା ବଢିଲା।

ତୃତୀୟ, ଆଦ୍ୟ ସେବକ, ଆଇନଜୀବୀ ତଥା ପ୍ରଭାବଶାଳୀ ବିଜ୍ଞଙ୍କ ଭିତରେ ସର୍ବାଗ୍ରେ ଗଣାଯାଉଥିବା ଗଜପତି, ସରକାର ଓ କୋର୍ଟଙ୍କ ପାଖରେ ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିବାର କ୍ଷମତା ରଖିଥିଲେ ମଧ୍ୟ କାହିଁକି ନୀରବ ରହିଲେ ତାହାକୁ ନେଇ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । ସେଥିଲାଗି ରଥଯାତ୍ରା ବନ୍ଦ ଆଦେଶର ପ୍ରଥମ ପ୍ରତିକ୍ରିୟାରେ ଲୋକେ ପୁରୀ ରାଜା ନଅର ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଅଧିକାରୀଙ୍କ ଅସ୍ୱିୟା

ଶ୍ରୀଜଗନ୍ନାଥଙ୍କ ସେବା ଭାଗ୍ୟରେ ଥିଲେ ମିଳେ । କାରଣ ସମସ୍ତ ସେବା ପାରମ୍ପରିକ ଓ ବଂଶଗତ ହୋଇଥିବା ବେଳେ ରାଜାଙ୍କ ହାତରେ ବଂଶାନୁକ୍ରମେ ଯେଉଁ ପ୍ରଶାସନିକ କ୍ଷମତା ଥିଲା ତାହା ଏବେ ଅଧିକାରୀଙ୍କ ହାତରେ ଠୁଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଆଇନ ଏବଂ ଓଡ଼ିଶା ସରକାର ଏହାକୁ ଅନୁମୋଦନ କରିଛନ୍ତି । ଅର୍ଥାତ୍‍ ଯେଉଁ ଅଧିକାରୀ ନିଜ କର୍ମ ଓ ଦକ୍ଷତା ଦ୍ୱାରା ଏହି ପ୍ରଶାସନିକ ପଦବୀରେ ଅଧିଷ୍ଠିତ ହୁଏ ସେ ପ୍ରଭୁଙ୍କର ସେବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କରିଥାଆନ୍ତି । ଅପରପକ୍ଷେ ପୁରୀର ଜିଲ୍ଲାପାଳ ହୁଅନ୍ତୁ ବା ଶ୍ରୀମନ୍ଦିର ପ୍ରଶାସକ ଭାବେ ଯେଉଁ ଆଇଏଏସ୍‍ ଅଧିଷ୍ଠିତ ହୁଅନ୍ତି ସେ ଅନେକ କାଳ ଯାଏ ଓଡ଼ିଶାବାସୀଙ୍କ ମନେ ରହନ୍ତି । ଉଦାହରଣ ଭାବେ ସୁରେଶ ମହାପାତ୍ର, ପ୍ରଦୀପ ମହାପାତ୍ର, ଅରବିନ୍ଦ ପାଢ଼ୀଙ୍କ ନାଁ ନିଆଯାଇପାରେ । ଖାଲି ସେତିକି ନୁହେଁ, ସେମାନଙ୍କ ଦାୟିତ୍ୱ କାଳ ପରେ ମଧ୍ୟ ଯଦି କେବେ ଶ୍ରୀମନ୍ଦିରରେ ପ୍ରଶାସନିକ ସଙ୍କଟ ଉପୁଜେ ସେବକ ଓ ଶାସନକଳ ଏହି ଅଧିକାରୀଙ୍କୁ ଖୋଜି ଥାଆନ୍ତି ।

ପୁଣି ପୁରୀରେ ଯେତେବେଳେ ବି ଜିଲ୍ଲାପାଳ ଓ ପ୍ରଶାସକ ପଦବୀରେ ଦୁଇଜଣ ଆଇଏଏସ୍‍ ଅଧିକାରୀ ନିୟୋଜିତ ହୁଅନ୍ତି ସେତେବେଳେ ବିବାଦ ସ୍ୱଭାବିକ ହେବା ଲକ୍ଷ୍ୟ କରାଯାଏ । ନବକଳେବର ସମୟ କଥା କୁହନ୍ତୁ କି ବର୍ତ୍ତମାନର ସମୟ, ଏ ବିଷୟ କାହାକୁ ଅଗୋଚର ନାହିଁ ।

ଏବର୍ଷର ରଥଯାତ୍ରା ଏକ ବିରଳ ପରିବେଶ ସୃଷ୍ଟି କରିବ ବୋଲି ଅନୁମାନ କରାଯାଇଥିଲା ।  ଯେଉଁ ପ୍ରଶାସକଙ୍କ ସମୟରେ ଏହି ରଥଯାତ୍ରା ହୋଇଥାଆନ୍ତା ତାଙ୍କୁ ଓଡ଼ିଶାବାସୀ ଚିରକାଳ ମନେ ରଖିଥାଆନ୍ତେ । ସଫଳତାପୂଣ୍ଣ ଭାବରେ ସ୍ନାନଯାତ୍ରାକୁ ପରିଚାଳନା କରିବା ଦ୍ୱାରା ମୁଖ୍ୟ ପ୍ରଶାସକଙ୍କ ବାବଦରେ ଗଣମାଧ୍ୟମରେ ଚର୍ଚା ହେଉଥିଲା । ସେ ମଧ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ ନିୟମାବଳୀ ଅନୁସାରେ ଆବଶ୍ୟକ ପଦକ୍ଷେପ ନେଇ ସେବାୟତ ତଥା ମହାରଣା ମାନଙ୍କୁ କିପରି କୋଭିଡ୍‍ ସ୍ପର୍ଶ ନକରିବ ସେଥିଲାଗି ବ୍ୟବସ୍ଥା କରୁଥିଲେ । ଏଥିରେ ସଫଳତା ବି ମିଳିଥିଲା । ଏହାକୁ ନେଇ ଆଇଏଏସ୍‍ କ୍ଷମତା ଅଳିନ୍ଦରେ ଚର୍ଚା ହୋଇଥିଲା । ଚର୍ଚା ଅନୁସାରେ ସେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଜଣେ ଦକ୍ଷ ଓ ପାରଦର୍ଶୀ ଅଧିକାରୀ ହୋଇଥିବାରୁ  ତାଙ୍କୁ ଉପଯୁକ୍ତ \”ଡ୍ରେସିଂ\’ କରିବା ଲାଗି ଅନ୍ୟ ବାବୁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଜାଲ ବିଛାଇଥିଲେ । ଅଭିମନ୍ୟୁ ଭଳି ସବୁ ମାୟାଜାଲ ଯେମିତି କୋଭିଡ୍‍-୧୯ କଟକଣା, କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ, ସମୟଭିତ୍ତିକ ରଥ ନିର୍ମାଣ, ସେବାୟତଙ୍କୁ ମନାଇବା ପ୍ରଭୃତି ରୁ ମୁକୁଳିବା ପରେ କିନ୍ତୁ ସୁପ୍ରିମ୍‍କୋର୍ଟରେ ଅଟକି ସେ ଅଟକିବାକୁ ବାଧ୍ୟ ହୋଇଥିଲେ ।

ସରକାରଙ୍କ ମନୋବଳ ଅଭାବ

୨୦୦୮ ମସିହାରୁ ଧର୍ମ ନିରପେକ୍ଷ ନୀତିକୁ ଆଧାର କରିଛନ୍ତି ବୋଲି ପ୍ରଚାରକରୁଥିବା ରାଜ୍ୟ ସରକାର, ଏଥର କ୍ଷମତାକୁ ଆସିବା ପରେ ହିନ୍ଦୁ ଦେବଦେବୀପ୍ରେମୀ ହୋଇଥିବା ଲକ୍ଷ୍ୟ କରାଯାଇଛି । ପୁରୀରେ ନବକଳେବର ସମୟରେ ପ୍ରସ୍ତାବିତ   ରାସ୍ତା ଓ ଭିତ୍ତିଭୂମି ନିର୍ମାଣ ସମ୍ପନ୍ନ କରି ନଥିଲେ ହେଁ ସୁନ୍ଦର ଐତିହ୍ୟ ନଗରୀର ଗ୍ରାଫିକ୍‍ ଚିତ୍ରସବୁ ଗଣମାଧ୍ୟମରେ ପ୍ରକାଶ କରି ଲୋକଙ୍କ ଚିତ୍ତ କିଣିଛନ୍ତି । ଖାଲି ପୁରୀରେ ନୁହେଁ, ଭୁବନେଶ୍ୱର, କେନ୍ଦ୍ରାପଡ଼ାରେ ମଧ୍ୟ ସମାନ ଅବସ୍ଥା ଲକ୍ଷ୍ୟ କରାଯାଇଛି । ସହରର ଐତିହ୍ୟ କୋଠାକୁ ଭାଙ୍ଗି ନୂଆ ସ୍ୱପ୍ନ ଦେଖୁଛନ୍ତି ପୁରୀବାସୀ । ହେଲେ ପରମ୍ପରାର ସବୁଠାରୁ ବଡ଼ ନିଦର୍ଶନ ରଥଯାତ୍ରାକୁ କିନ୍ତୁ ଠିକଣା ଭାବେ ପାଳନ କରିବାର ସାହସ କରିପାରି ନାହାନ୍ତି । ଯଦି ତାହା କରିଥାଆନ୍ତେ ତେବେ ହରିଶ୍‍ ସାଲ୍‍ଭେଙ୍କ ଭଳି ଓକିଲ ସୁପ୍ରିମ୍‍କୋର୍ଟ ଖଣ୍ଡପୀଠଙ୍କ ଆଗରେ ଓଡ଼ିଶା ସରକାରଙ୍କ କଠୋର ପଣିଆକୁ  ଉପସ୍ଥାପନ କରି ମହାପ୍ରଭୁଙ୍କ ରଥଯାତ୍ରା ନକରାଇବାର ଅପବାଦରୁ ସରକାରଙ୍କୁ ମୁକୁଳାଇପାରି ଥାଆନ୍ତେ ବୋଲି ବିଭିନ୍ନ ଗଣମଧ୍ୟମ ପ୍ରକାଶ କରିଛନ୍ତି।

ଯାହା ପ୍ରଭୁଙ୍କ ଇଚ୍ଛା ବୋଲି କହୁଥିବା ଓଡ଼ିଶାର ଜଗନ୍ନାଥବାଦୀ ଲୋକଙ୍କ ଭିତରୁ କିଛି ଆଜି ଏକଥା କହୁଛନ୍ତି ସତ, କିନ୍ତୁ ଆଗକୁ ଏହି ଇଚ୍ଛା ଯେ, ସ୍ୱାଧୀନ ଭାରତରେ ଓଡ଼ିଶାର ଇତିହାସ ଲେଖିଲାବେଳେ ଏକ କଳାଦାଗ ନହେବ ତାହା କିଏ କହିବ!

Leave a Reply

Your email address will not be published.