କାଲି ଇସ୍ତଫା ଦେଇଥିଲେ, ଆଜି ପ୍ରତ୍ୟାହାର କରିନେଲେ ଜଗନ୍ନାଥ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) : ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସେ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାଯାଇଛି ।
ଗତକାଲି ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଥିଲେ ଜଗନ୍ନାଥ । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ଅଭିମାନ ଦୂର ହୋଇଛି । ସେ ଇସ୍ତଫା ପ୍ରତ୍ୟାହାର କରିଛନ୍ତି । ସେପଟେ ଭୁବନେଶ୍ବର ଜିଲ୍ଲା ସଭାପତି ଚୟନ ହୋଇଥିବା ବାବୁ ସିଂ କହିଛନ୍ତି ଯେ, ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି ତାକୁ ନିଭାଇବି । ସମସ୍ତଙ୍କୁ ନେଇ କାମ କରିବି ବୋଲି ସେ କହିଛନ୍ତି ।