ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ କେତେ ଯଥାର୍ଥ

ଜଗବନ୍ଧୁ ଷଡ଼ଙ୍ଗୀ
ମୋ : ୯୪୩୭୦୧୫୨୦୧
ଆଇଆରସି ଭିଲେଜ, ଭୁବନେଶ୍ୱର

ମୋର ମନେ ଅଛି ୧୯୬୨ ମସିହାର କଥା । ନୂଆ ନୂଆ ·କିରୀ କଲାବେଳେ ଆମେ ଓଡ଼ିଆ ମାଧ୍ୟମରେ ପଢିଥିଲେ ମଧ୍ୟ ଓଡ଼ିଶାରେ ୭ମ ଶ୍ରେଣୀ ପାଶ୍ କରିଛୁ ବୋଲି ପ୍ରମାଣ ଦେବାକୁ ପଡ଼ିଥିଲା । କିନ୍ତୁ ଜଣେ ଜନନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏସବୁ ଆଇନ୍ ନାହିଁ । କାହିଁକି- ଆଜି ଅବସର ନେବା ପରେ ବି ବୁଝି ହୋଇନାହିଁ ।

ମୋ ମନରେ ସେଇ ଅସମାହିତ ପ୍ରଶ୍ନଟି କିନ୍ତୁ ଏଯାଏ ଉଙ୍କି ମାରୁଛି । ଦେଶର ଶାସନ ବ୍ୟବସ୍ଥାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରୁଥିବା ଲୋକ ପ୍ରତିନିଧିମାନେ କ’ଣ ରାଜ୍ୟ ବା ଦେଶକୁ ବିନା ଜ୍ଞାନ ବା ବିନା ଶିକ୍ଷାରେ ପରିଚାଳନା କରିପାରିବେ? ଦେଶ ଶାସନ ବ୍ୟବସ୍ଥା କ’ଣ ଗୋଟିଏ ସହଜ କଥା? ଯଦି ନା ତେବେ ଏଥିରେ ବାରମ୍ବାର ପୁନରାବୃତ୍ତି କାହିଁକି ହେଉଛି?

ଏ ପ୍ରଶ୍ନଟି ଆଜି କାହିଁକି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ପଦେ । ଏବେ ନିର୍ବାଚନ ସମୟ ଚାଲିଛି, ଯେଉଁଟି ପ୍ରାର୍ଥୀ ଅପେକ୍ଷା ପାର୍ଟି ଯେ, ଗୁରୁତ୍ୱପୂର୍ଣ୍ଣ ତାହାକୁ ଆମ ଉପରେ ଅର୍ଥାତ୍‍ ଭୋଟରଙ୍କ ଉପରେ ଲଦିଦିଆଯାଉଛି । ନିକଟରେ ଏମିତି ଏକ ଉଦାହରଣ ଆମ ଆଖିକୁ ଆସୁଛି ତାହା ହେଲା ଆସ୍କା ସାଂସଦ ପଦ ପାଇଁ ବିଜେଡିରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଯିବା ପ୍ରସଙ୍ଗ । ପ୍ରମିଳା ତୃତୀୟ ଶ୍ରେଣୀ ସ୍କୁଲ୍‍ ଶିକ୍ଷା ପାସ୍‍ କରିନାହାନ୍ତି । ଜଣେ ମହିଳା ସଂଗଠକ ଭାବେ ସେ ସମ୍ପୃକ୍ତ ଅଞ୍ଚଳରେ ପରିଚିତ । ତାଙ୍କର ଉଦ୍ୟମ ଓ ନିଷ୍ଠା ନିହାତି ଭାବେ ପ୍ରଶଂସନୀୟ । କିନ୍ତୁ ଜଣେ ଘରୋଇ ମହିଳା ଯିଏ ତୃତୀୟ ଶ୍ରେଣୀ ପଢ଼ି ନାହାନ୍ତି ସେ ଦେଶର ବିଭିନ୍ନ ନୀତି, ପ୍ରସଙ୍ଗ ବାବଦରେ କି କଥା ଉଲ୍ଲେଖ କରିବେ?

ସାରା ପୃଥିବୀ ଯେତେବେଳେ ଟିପ ଅଗରେ ରହି ଲୋକପ୍ରତିନିଧିଙ୍କୁ ପ୍ରଶ୍ନ କରୁଛି ସେଠାରେ ଏହି ମହିଳା କିପରି ଜବାବ ରଖିବେ । ପୁଣି ଯଦି ତାଙ୍କ ପାଇଁ କିଏ ଜବାବ ରଖିଲା ବା ଏହି ଜବାବ ରଖିବା ଲାଗି ତାଙ୍କୁ କିଏ ସଂସଦରେ ପ୍ରସ୍ତାବ ରଖିଲା ତେବେ ସେ ତାହାକୁ କିପରି ବ୍ୟାଖ୍ୟା କରିବେ ତାହା ଏକ ଲକ୍ଷେ ଟଙ୍କାର ପ୍ରଶ୍ନ, ନୁହେଁ କି?

ସେ ଭଉଣୀଙ୍କ ବିରୋଧରେ ଆମର କିଛି କହିବାର ନାହିଁ । ସେ ସାମାଜିକ ସ୍ତରରେ ଭଲ କାମ କରିଛନ୍ତି, ତାଙ୍କୁ ସେଥିପାଇଁ ଧନ୍ୟବାଦ । ଓଡ଼ିଶାରେ ଏପରି ଅନେକ ଏନ୍ଜିଓ ତଥା ସରକାରୀସ୍ତରରେ କାମ କରୁଥିବା ଉଚ୍ଚଶିକ୍ଷିତ ମହିଳା ଅଛନ୍ତି । ମହିଳା, ଶିଶୁ ତଥା ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳାମାନଙ୍କ ବିକାଶ ପାଇଁ ସେମାନେ କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏପରି ଜଣେ ଯୋଗ୍ୟ ମହିଳା କ’ଣ ନବୀନ ବାବୁଙ୍କର ପସନ୍ଦ ହେଲାନାହିଁ, କାହିଁକି? ପୁଣି ଏମିତି ଏକ ଜବରଦସ୍ତିଆ ପସନ୍ଦ ପରେ ଲୋକଙ୍କ ମନରେ ନବୀନବାବୁଙ୍କ ଉପରକୁ ଆଙ୍ଗୁଠି ଉଙ୍ଖିବା ସ୍ୱଭାବିକ । ଏଠି ଲୋକେ କହିବା ସ୍ୱଭାବିକ ଯେ, ଆମ ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଶାସନରେ ଓଡ଼ିଆରେ ୮ମ ଶ୍ରେଣୀର ଜ୍ଞାନ ଆହରଣ କରିପାରିଲେ ନାହିଁ । ଏଣୁ ସେ ଜଣେ ୩ୟ ଶ୍ରେଣୀ ପାସ୍ କରିନଥିବା ଗୃହିଣୀଙ୍କୁ ସାଂସଦ ଟିକେଟ ଦେଇଦେଲେ ।


ପ୍ରମିଳାଙ୍କ ନୋମିନେସନ ସମୟରେ ପ୍ରମିଳା ବିଶୋୟୀଙ୍କ ଫଟୋ ଓ ଭିଡିଓକୁ ଯିଏ ଅନୁଧ୍ୟାନ କରିଛି ସେ ନିହାତି ଭାବେ ଏହା ଅନୁଭବ କରିଥିବ ଯେ, ସେ ଠିକଣା ଭାବେ ଆବଶ୍ୟକ ସତ୍ୟପାଠକୁ ବି ପଢ଼ି ପାରୁ ନଥିଲେ । ଏହା ବୟସର ପ୍ରଭାବ ହୋଇପାରେ । ଏହାକୁ କିଛି ଟିଭି ଚ୍ୟାନେଲ୍‍ ମଧ୍ୟ ବ୍ୟଙ୍ଗାତ୍ମକ ଭାବେ ଦେଖାଇଛନ୍ତି ।

ସେ ମହାଶୟା ଅଳ୍ପ ଶିକ୍ଷିତ ହୋଇ ମଧ୍ୟ ନିଜର ଦକ୍ଷତା ହେତୁ ସ୍ୱୟଂ ସହାୟ ଗୋଷ୍ଠୀମାନ ଗଠନରେ ସହାୟକ ହୋଇଛନ୍ତି। ସେ ସବୁ ଯୋଗ୍ୟତାକୁ ଭୁଲିକରି ତାଙ୍କୁ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇ ପାରିଥାନ୍ତା । ଏହାଦ୍ୱାରା ସେହିଭଳି ମହିଳାମାନେ ପ୍ରୋତ୍ସାହିତ ହୋଇଥାଆନ୍ତେ । ସେମିତି କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ, ହେଲେ ଏବେ ତାଙ୍କୁ ଏ ପାର୍ଟି ଟିକେଟ୍‍ ଦେବା, ଲୋକଙ୍କୁ କେବଳ ଗୋଡ଼ାଣିଆ ରାଜନୀତି ପ୍ରତି ଆକୃଷ୍ଟ କରିବ ।

ଆମ ସମ୍ବିଧାନ ୧୯୫୦ ମସିହାରେ ତିଆରି ହେଲାବେଳେ ଆମ ଦେଶରେ ୫୦ଭାଗରୁ ଅଧିକ ନିରକ୍ଷର ଓ ଅଳ୍ପ ଶିକ୍ଷିତ ଥିବା ହେତୁ ଜନ ପ୍ରତିନିଧିମାନଙ୍କ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇନଥିଲା । ଏ ନେଇ ଦେଶର ଅଗଣିତ ସାମାଜିକ ଅନୁଷ୍ଠାନ ତଥା କର୍ମୀ, ବିଧାନସଭା ଓ ଲୋକସଭା, ରାଜ୍ୟସଭା ସଭ୍ୟପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍ରେ ଗ୍ରାଜୁଏସନ କରିବା ପାଇଁ ଦୀର୍ଘଦିନ ଧରି ଦାବୀ କରି ଆସୁଛନ୍ତିି । ଜଣେ ସାଂସଦ ୨ୟ/୩ୟ ଶ୍ରେଣୀ ପାଠ ପଢିଥିବା ବେଳେ ଲୋକସଭାର ଆଲୋଚନା ସମୟରେ ନିଜକୁ କିପରି ଅନ୍ୟ ସଭ୍ୟ/ସଭ୍ୟାଙ୍କ ସହ ଖାପ୍ ଖୁଆଇ ପାରିବେ ଓ ଓଡ଼ିଶାର ଦାବୀକୁ ଉପସ୍ଥାପନ କରିବାରେ ସହାୟିକା ହେବେ ଆମେ ବୁଝିପାରୁନୁ ।

ସେ ନିର୍ବାଚନ ଜିତନ୍ତି, ୧ମ ଥର କିମ୍ବା ୨ୟଥର ସେ ମହାଶୟା ତାଙ୍କର କର୍ମ କୁଶଳତା ବିଷୟରେ କିଛିଟା କହି ତାଙ୍କ ସମ୍ମାନାର୍ଥେ କିଛିଟା କରତାଳି ଅବଶ୍ୟ ପାଇବେ । କିନ୍ତୁ ଓଡ଼ିଶାର ଦାବି ହାସଲ କରିବାକୁ ସେ କ’ଣ କରିପାରିବେ? ଆମକୁ ସେ ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ଲୋକସଭାରେ କିଛିଟା ଯୁକ୍ତି ରଖିବାକୁ ତାଙ୍କୁ ଅନ୍ୟ କାହାରା ସାହାଯ୍ୟ ନେବାକୁ ପଡ଼ିବ । କିନ୍ତୁ ଉକ୍ତ ଯୁକ୍ତିକୁ ଲୋକସଭାରେ କେତେ ସ୍ପଷ୍ଟ ଭାବରେ ପରିବେଷଣ ଓ ଉପସ୍ଥାପନା କରିବେ, ତାହା ଦେଖିବାକୁ ରହିଲା।

ମୁଖ୍ୟମନ୍ତ୍ରୀଙ୍କ ‘ମହିଳାମାନଙ୍କୁ ସମ୍ମାନ’ର ଏକ ଫମ୍ପା ଆବାଦକୁ ପ୍ରତିଷ୍ଠା କରିବା ପାଇଁ ଏ ଅପ ପ୍ରଚେଷ୍ଟା, ହେଲେ ରାଜ୍ୟ ତଥା ଦେଶ ସ୍ୱାର୍ଥରେ ଆସିବନି । ପରନ୍ତୁ ଆନ୍ତର୍ଜାତୀୟସ୍ତରରେ ଏହା ପ୍ରମାଣ କରିବ ଯେ, ଆମ ଦେଶର ସାଂସଦ ମଧ୍ୟ ଅଳ୍ପ ଶିକ୍ଷିତ ବା ନିରକ୍ଷର ହୋଇପାରନ୍ତା । ଦେଶ ସ୍ୱାଧୀନ ହେବାର ୭୧ବର୍ଷ ପରେ ମଧ୍ୟ ଆମେ ଇଂରେଜ ଅମଳରେ ଥିବା ଯେଉଁ ନିରକ୍ଷରକୁ ସେଇ ନିରକ୍ଷର ରହିଲୁ । ତଥାପି ‘ସ୍ୱାଧୀନ ଭାରତ ଜିନ୍ଦାବାଦ’, ‘ଆମ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ’ ।

ବିଦ୍ର: ଲେଖକ ଜଣେ ସ୍ଵାଧୀନ ଚିନ୍ତା ସ୍ତମ୍ଭକାର। ଏହି ସନ୍ଦର୍ଭରେ ପ୍ରତିଫଳିତ ମତାମତ ସମ୍ପୂଣ୍ଣ ଲେଖକଙ୍କ ଅନୁଶୀଳନ ଉପରେ ଆଧାରିତ। ସମ୍ପାଦକୀୟ ମଣ୍ଡଳୀର ଏଥିରେ କୌଣସି ସମ୍ପର୍କ ନାହିଁ।

One thought on “ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ କେତେ ଯଥାର୍ଥ

  1. ସମ୍ପୂର୍ଣ୍ଣ ସହମତ। ପ୍ରମିଳା ଵିଷୋଇଙ୍କ ପ୍ରାର୍ଥୀତ୍ୱ ଓଡିଆ ମହିଳାଙ୍କ ପ୍ରତି ଅପମାନ। ତାଙ୍କ ସାକ୍ଷାତକାର ଦେଖିଲା ପରେ ତାଙ୍କ ଵିଷୟରେ ଯାହା ଜାଣିଲି, ସେଥିରୁ ନଵୀନ ବାବୁଙ୍କ ଗୁଣଗାନ ବ୍ୟତୀତ ରାଜ୍ୟ, ଦେଶ ବା ଅନ୍ୟ କୌଣସି ବିଷୟରେ ବିଶେଷ ଗ୍ୟାନ ଥିବା ପରି ମନେହେଲା ନାହିଁ। ମହିଳା କାର୍ଡ଼ ଖେଳି ମହିଳାଙ୍କୁ ଅପମାନିତ କରାଯାଉଥିବା ଅନୁଭବ ହେଲା।

Leave a Reply to Sujata Singh Cancel reply

Your email address will not be published. Required fields are marked *