ଏସ୍ସିବିରୁ ଡିସଚାର୍ଜ ହେବ ଜଗା, ଫେରିଯିବ କନ୍ଧମାଳ
ଭୁବନେଶ୍ବର, (ଓଡିଶା ଟାଇମ୍) :କଟକ ବଡ଼ ମେଡିକାଲ ଏସସିବିରୁ ଡିସଚାର୍ଜ ହୋଇପାରେ ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛି ଜଗା । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛି ଜଗା। ସେ ଏବେ ସୁସ୍ଥ ହେବାରେ ଲାଗିଥିବାରୁ ତାକୁ ଖୁବଶୀଘ୍ର ଏସସିବିରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି।
ଏସସିବିରୁ ଡିସଚାର୍ଜ ହେବାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଡାକ୍ତରୀଦଳ ଅଧିନରେ ଜଗା ଚିକିତ୍ସିତ ହେବ। ଜଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ କନ୍ଧମାଳର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆଜି କଟକ ଏସସିବିରେ ପହଞ୍ଚିବେ। ଜଗାର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ। ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା” ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘରକୁ ଫେରିଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ। କନ୍ଧମାଳ ଜିଲ୍ଲାପାଳ ଏ ସଂପର୍କରେ ସରକାରଙ୍କୁ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କର ୨୦୧୭ରେ ଦିଲ୍ଲୀସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା । ସେଠାରେ ଦୁଇ ଯାଆଁ ଶିଶୁଙ୍କୁ ପୃଥକ କରାଯାଇଥିଲା । ଏମ୍ସରେ ପ୍ରାୟ ୨ ବର୍ଷ ରହିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଦୁଇ ଶିଶୁ ୨୦୧୯ରେ କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲେ । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏସ୍ସିବି ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ଶିଶୁ ରୋଗ ବିଭାଗ, ଆନାସ୍ଥେସିଆ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି, ଛାତି ଓ ଯକ୍ଷ୍ମା ରୋଗ ବିଭାଗ, ଚକ୍ଷୁ, ସର୍ଜରୀ ଆଦି ବିଭାଗର ବରିଷ୍ଠ ବିଶେଷଜ୍ଞମାନେ ସଦସ୍ୟ ରହିଥିଲେ ।