କାଶ୍ମୀରରେ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଶିକ୍ଷକ ଦୀପକ ଚାନ୍ଦଙ୍କ ପତ୍ନୀଙ୍କୁ ନିଯୁକ୍ତି ପତ୍ର ଦେଲେ ଉପ-ରାଜ୍ୟପାଳ
ଶ୍ରୀନଗର, (ଓଡିଶା ଟାଇମ୍): କାଶ୍ମୀରରେ ଗତ ମାସରେ ଟାର୍ଗେଟ କିଲିଂର ଶିକାର ହୋଇଥିବା ଶିକ୍ଷକ ଦୀପକ ଚାନ୍ଦଙ୍କ ପତ୍ନୀ ଆରାଧନା ମେହରାଙ୍କୁ ସୋମବାର ଦିନ ଉପ-ରାଜ୍ୟପାଳ ମନୋଜ ସିହ୍ନା ନିଯୁକ୍ତି ପତ୍ର ଦେଇଛନ୍ତି। ଏହାସହ ତାଙ୍କ ପରିବାରକୁ ସବୁ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି। ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି।
ଶିକ୍ଷକ ଦୀପକ ଚାନ୍ଦଙ୍କ ପରିବାର ଜାମ୍ମୁ ସହରର ରିହାଡିରେ ରୁହନ୍ତି। ଆତଙ୍କବାଦୀଙ୍କ ହମଲାରେ ପ୍ରାଣ ହରାଇବା ପୂର୍ବରୁ ଦୀପକ ଚାନ୍ଦ ନିଜ ମା’ଙ୍କୁ କହିଥିଲେ ଯେ ଯେଉଁଭଳି କାଶ୍ମିରୀ ପଣ୍ଡିତଙ୍କୁ ହତ୍ୟା କରାଯାଉଛି, ସେଥିପାଇଁ ସେ ଦୁଃଖିତ। ଦୀପକଙ୍କ ହତ୍ୟାକୁ ଲୋକେ ଷଡଯନ୍ତ୍ର ବୋଲି କହିଥିଲେ। କାରଣ ଦୀପକଙ୍କ ପରିବାର ମୂଳତଃ କାଶ୍ମୀରର।
୧୯୯୦ ଦଶକରେ ଯେତେବେଳେ କାଶ୍ମୀରରେ ଆତଙ୍କବାଦ ଚରମ ସୀମାରେ ଥିଲା, ସେତେବେଳେ ଦୀପକଙ୍କ ପରିବାର ବିସ୍ଥାପିତ ହୋଇ ଜାମ୍ମୁ ଚାଲି ଆସିଥିଲେ। ୨୦୧୯ରେ କେନ୍ଦ୍ର ସରକାର ପିଏମ ପ୍ୟାକେଜ ଅନୁସାରେ କାଶ୍ମିରୀ ବିସ୍ଥାପିତଙ୍କ ପାଇଁ ଶିକ୍ଷକ ପଦବୀରେ ନିଯୁକ୍ତି କରିଥିଲେ। ଏଥିରେ ଦୀପକ ଚାନ୍ଦ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପୋଷ୍ଟିଙ୍ଗ କାଶ୍ମୀରରେ ହୋଇଥିଲା। ଦୀପକ ଚାନ୍ଦଙ୍କ ପତ୍ନୀ ଓ ତାଙ୍କର ୩ ବର୍ଷର ଝିଅ ମଧ୍ୟ ତାଙ୍କ ସହ ରହୁଥିଲେ।