ଆଇଏସଆଇ ଲିଙ୍କ୍ରେ ଇଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡ
ବାଲେଶ୍ଵର, (ଓଡିଶା ଟାଇମ୍) :ଈଶ୍ବର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଆଇଏସଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଈଶ୍ବରଙ୍କର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ ଗ୍ରାଫର ଭାବେ କାମ କରୁଥିବା ଈଶ୍ବର ବେହେରାକୁ କ୍ରାଇମ ବ୍ରାଂଚ ୨୦୧୫ ମସିହା ଜାନୁଆରୀ ମାସ ୨୨ ତାରିଖରେ ଗିରଫ କରିଥିଲା । ଆଉ ସେହି ଦିନଠାରୁ ସେ ବାଲେଶ୍ବର ଜେଲରେ ଅଛି ।
ଆଇଏସଆଇ ଏଜେଣ୍ଟଙ୍କ ସହ ଈଶ୍ବର ସଂପର୍କ ରଖିଥିଲା । ଚାନ୍ଦିପୁର ଆଇଟିଆରରେ କେତେବେଳେ କେଉଁ କ୍ଷେପଣାସ୍ତ୍ର ପରୀକ୍ଷା ହେବ, ତାହାର ପୂର୍ବ ସୂଚନା ଈଶ୍ବର ବହେରା ଆଇଏସଆଇ ଏଜେଣ୍ଟକୁ ଜଣାଉଥିଲା । ଆଇଏସଆଇ ଏଜେଣ୍ଟଙ୍କ ସହ ଅଡିଓ ବାର୍ତ୍ତାଳାପ କ୍ରାଇମବ୍ରାଂଚ କୋର୍ଟରେ ରଖିଥିଲା ।
ସେହିପରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ସହ ଆଇଏସଆଇ ଏଜେଣ୍ଟଙ୍କଠାରୁ ଟଙ୍କା ନେଇଥିବା ପ୍ରମାଣ ପୋଲିସକୁ ମିଳିଥିଲା । ଏହି ମାମଲାରେ ୨୯ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ଦଫା ୧୨୦ ବି,୧୨୧, ୧୨୧ ଏ, ଦେଶ ଦ୍ରୋହ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଗିରିଜା ପ୍ରସାଦ ମହାପାତ୍ର ତାଙ୍କ ରାୟରେ ଈଶ୍ବର ବହେରାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି ।