ଆଇପିଏଲ ବେଟିଂ କିଙ୍ଗ୍ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ
ବ୍ରହ୍ମପୁର, (ଓଡିଶା ଟାଇମ୍) :ଆଇପିଏଲ୍ ବେଟିଂର ଏକ ବଡ଼ ର୍ୟାକେଟ୍କୁ ଧରିବାରେ ବ୍ରହ୍ମପୁର ପୁଲିସ ସଫଳ ହୋଇଛି। ବେଟିଂର କିଙ୍ଗ୍ପିନ୍ ପୁଲିସ ହାତରେ । ଏହା ସହ ତାର ୫ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । କିଙ୍ଗ୍ପିନ୍ ଓ ତାଙ୍କ ସହଯୋଗୀଙ୍କ ଠାରୁ ପୁଲିସ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିପୁଳ ପରିମାଣର ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଏକ ବୁକି ତାଲିକା ମଧ୍ୟ ଜବତ ହୋଇଛି ।
ପୁଲିସ ଏନେଇ ବିଶେଷ ଖୁଲାସା କରିନଥିବାବେଳେ କିଙ୍ଗ୍ପିନ୍ ଅଟକ ଥିବା ଏବଂ ଟଙ୍କା ଜବତ କରାଯାଇଥିବା ସ୍ୱୀକାର କରିଛନ୍ତି ଏଏସ୍ପି ପ୍ରଭାତ କୁମାର ରାଉତରାୟ । କିନ୍ତୁ କେତେ ଟଙ୍କା ଜବତ ହୋଇଛି ତାହା କିଛି ସ୍ପଷ୍ଟ କରିନାହାନ୍ତି । ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଏସ୍ପି ପିନାକ ମିଶ୍ର । ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍ ବେଟିଂର ସାମ୍ରାଜ୍ୟ ଚଳାଇଥିବା ଉକ୍ତ କିଙ୍ଗ୍ପିନ୍କୁ ବ୍ରହ୍ମପୁର ପୁଲିସ ପ୍ରଥମ ଥର ପାଇଁ ଗିରଫ କରିଛି ।
ବ୍ରହ୍ମପୁରରୁ ଜିଲ୍ଲା ତମାମ ଆଇପିଏଲ୍ ବେଟିଂକୁ କଣ୍ଟ୍ରୋଲ କରାଯାଉଥିବା ସୁରାକ୍ ପାଇଥିଲା ପୁଲିସ । ଆରମ୍ଭ ହୋଇଥିଲା ତନାଘନା । ଏହି ବଡ଼ ର୍ୟାକେଟ୍କୁ ଧରିବାକୁ ପୁଲିସ ଆରମ୍ଭ କରିଥିଲା ପ୍ରୟାସ । ତଥ୍ୟ ପ୍ରଘଟ ଆଶଙ୍କା କରି ଏସ୍ପି ମିଶ୍ର ନିଜେ ଏହି ଟିମ୍ର ନେତୃତ୍ୱ ନେଇଥିଲେ । ଏସ୍ପିଙ୍କ ତତ୍ତ୍ୱାବଧାନରେ ଟାଉନ୍ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ ଓ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ୍ କୁମାର ସୋରେନ୍ ଗୋସାଇଁନୂଆଗାଁ ଥାନା ହାଉସିଂବୋର୍ଡ ଅଞ୍ଚଳରେ ଥିବା କିଙ୍ଗ୍ପିନ୍ ଘରେ ଚଢ଼ାଉ କରିଥିଲେ ।